Latest Odisha News

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫: ବର୍ତ୍ତମାନ ଏଆଇର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ

ଭୁବନେଶ୍ଵର: ଉଦ୍‌ଘାଟିତ ହେଲା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ । ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶ ବିଦେଶର ନିବେଶକ, ପ୍ରତିନିଧି, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ କନକ୍ଲେଭରେ ଉପସ୍ଥିତ ଅଛନ୍ତି ।

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ବିତୀୟ ଗସ୍ତ । ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ । ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ । ଏହି ଅବସରରେ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଏଆଇର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ । ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ବ କରୁଛି । ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି । ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନଥିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି । ଖୁବ ଶୀଘ୍ର ଦେଶ ୫ ଟ୍ରିଲିଅନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ । ଇନୋଭେଟିଭ ସର୍ଭିସ ସେଣ୍ଟର, ଉଚ୍ଚ ମାନର ଉତ୍ପାଦନ ପ୍ରମୁଖ କ୍ଷେତ୍ରରେ ଦେଶ ଅଗ୍ରଣୀ ଲାଭ କରିବ । ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି । ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ, ଚାଲିବାକୁ ହେବ । ଓଡ଼ିଶାର ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି । ଏଠାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇଥିବା ବହୁତ ପ୍ରକଳ୍ପ ମଧ୍ୟ ଚାଲିଛି । ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି ବୋଲି କହିଛନ୍ତୀ ମୋଦୀ ।

ମୋଦୀ ଆହୁରି କହିଛନ୍ତି ଯେ, ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି ଏମଏସଏମଇକୁ ସପୋର୍ଟ କରନ୍ତୁ । ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ । ଏଠାରେ ଆଧୁନିକ ଇକୋ ସିଷ୍ଟମ ପାଇଁ ମୁଁ ଆହ୍ବାନ କରୁଛି । ଏହା ଦ୍ବାରା ଓଡ଼ିଶାର ଯୁବ ପିଢ଼ି ନିଯୁକ୍ତି ପାଇବେ । ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ । ଏହି ରାଜ୍ୟ ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ । ଏଥିପାଇଁ ଜି-୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲୁ । ଓଡ଼ିଶାରେ ୫ ଶହ କିମିର ସମୁଦ୍ର ବେଳାଭୂମି ରହିଛି । ସବୁ ରାଜ୍ୟମାନଙ୍କୁ ମୁଁ ଶିଳ୍ପପତିଙ୍କ ସକାଶେ ଭିତ୍ତିଭୂମି ଦେବାକୁ ଚାହୁଁଛି । ଓଡ଼ିଶାକୁ ସମୃଦ୍ଧ କରିବାକୁ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ପ୍ରତି ମୋର ଯଥେଷ୍ଟ ଭଲ ପାଇବା ମଧ୍ୟ ରହିଛି । ଏହାରି ଭିତରେ ମୁଁ ଓଡିଶା ୩୦ ଥର ଆସିଲିଣି । କିନ୍ତୁ ସ୍ବାଧୀନ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ଥର ମୁଁ ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସେପଟେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପ୍ରଥମେ ପ୍ରଧାନମନ୍ତ୍ରୀ, ଆସିଥିବା ନିବେଶକଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି । ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି । ବିଦେଶ ଗସ୍ତ କରି ଅନେକ ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୁଁ ଯଥାସମ୍ଭବ ଉଦ୍ୟମ କରିଛି । ଯାହାର ସୁଫଳ ଆଜି ମିଳିବାକୁ ଯାଉଛି । ଗତ ଦିନ ମାନଙ୍କରେ ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ । ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି । ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Comments are closed.