ପୁରୀ: ଓଡ଼ିଶାରେ ଏବେ ଚାଲିଥିବା ଲକ୍ଡାଉନ୍ ଯୋଗୁଁ ପୁରୀ ସହର ଜନଶୂନ୍ୟ ହୋଇପଡ଼ିଛି । ଏହାସାଙ୍ଗକୁ ବେଳାଭୂମି ଓ ସ୍ୱର୍ଗଦ୍ୱାର ମଧ୍ୟ ଲକ୍ଡାଉନ୍ ପ୍ରଭାବରେ ଖାଁ ଖାଁ ଲାଗୁଛି ।
କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ଲକ୍ଡ଼ାଉନ୍ ଘୋଷଣା ହେବା ପୂର୍ବରୁ ସ୍ୱର୍ଗଦ୍ୱାରରେ ଦୈନିକ ୧୦୦ଟି ଶବଦାହ ହେଉଥିଲା । ଏବେ ଲକ୍ଡାଉନରେ ୧୦ଟି ଶବ ଦାହ ହେଉଥିବାର ସୂଚନା ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କର ଆତ୍ମୀୟ ସ୍ୱଜନଙ୍କ ମରଶରୀରକୁ ଏହି ସ୍ୱର୍ଗଦ୍ୱାରକୁ ନେଇ ଆସୁଥିଲେ ଅନ୍ତିମ ସଂସ୍କାର ଲାଗି । ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଲେ ଆତ୍ମାକୁ ଶାନ୍ତି ଲାଭ ହେଉଥିବାର ବିଶ୍ୱାସ ରହିଛି ।
ଏବେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ଯୋଗୁଁ ସ୍ୱର୍ଗଦ୍ୱାର ମଧ୍ୟ ପ୍ରଭାବିତ ହୋଇଛି । ଏହାର କୁପ୍ରଭାବ ପଡ଼ିଛି ସ୍ୱର୍ଗଦ୍ୱାରରେ ଦୈନିକ କାର୍ଯ୍ୟ କରୁଥିବା କିଛି ପରିବାର । ଯେମିତିକି ଶବଦାହ କରୁଥିବା କିଛି ପରିବାର ଏବଂ ମୃତକର୍ମ ଲାଗି ପୂଜା କରୁଥିବା କିଛି ବ୍ରାହ୍ମର ପୁରୋହିତ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକି ଏଠାରେ ଶବଦାହ ଲାଗି ଆନୁଷଙ୍ଗିକ ଜିନିଷ ପାଉନଥିବାରୁ କିଛି ଲୋକ ହଇରାଣ ହେଉଛନ୍ତି ।
ଲକ୍ଡ଼ାଉନ ହଟିଗଲେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶବଗୁଡ଼ିକ ଏଠାକୁ ଆସି ଦାହ ହୋଇ ପାରନ୍ତା । ପୁଣି ଚଳଚଞ୍ଚଳ ହୋଇଉଠନ୍ତା କୋଟି କୋଟି ଓଡ଼ିଆଙ୍କ ବିଶ୍ୱାସର ଶେଷ ସ୍ଥାନ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର ।
Comments are closed.