Latest Odisha News

BREAKING NEWS

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଆରାମ ଦରକାର: ଜେପି ନଡ୍ଡା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ନିଜର ପାୱାର ସୋ କରି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ସକାଳ ପାଖାପାଖି ୧୦ ଟା ବେଳକୁ ମାଉସୀ ମା ମନ୍ଦିରଠାରୁ ନିଜର କର୍ମୀ ଓ ସହଯୋଗୀଙ୍କ ସହିତ ରୋଡ ସୋ ଆରମ୍ଭ କରିଥିଲେ ନଡ୍ଡା। ଏହାପରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ। ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ମନ୍ଦିର ବେଢା ବୁଲିଲେ ନଡ୍ଡା। ଏଥିସହିତ ଏହି ରୋଡ ସୋରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ସମେତ ହଜାର ହଜାର କର୍ମୀ ଓ ଜନସାଧାରଣ ସାମିଲ ହୋଇଛନ୍ତି ।

ତେବେ ଏହି ରୋଡ ସୋ ବେଳେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ନଡ୍ଡା। ନଡ୍ଡା କହିଛନ୍ତି, ଓଡ଼ିଶାରେ ସମସ୍ତ ଲୋକସଭା ଆସନ ବିଜେପି ଜିତୁଛି । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି। ସେହିପରି ବିଧାନସଭା ନିର୍ବାଚନକୁ ନେଇ ସେ କହିଛନ୍ତି, ନବୀନ ବାବୁ ଆଉ ସକ୍ରିୟ ନାହାନ୍ତି । ଓଡ଼ିଶାବାସୀ ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ଏଥିସହ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ମଧ୍ୟ ବର୍ଷିଲେ ନଡ୍ଡା। ଓଡ଼ିଶାରେ ଯେଉଁ ଅଫିସର ରାଜ ଚାଲିଛି ତାହାକୁ ଶେଷ କରିବୁ ବୋଲି କହିଛନ୍ତି।

ସେ କହିଛନ୍ତି, କିଛି ଦିନର କଥା, ପରେ ସବୁ ହିସାବ କିତାବ ନିଆଯିବ। ବିଜେପି ଓଡ଼ିଶାରେ ସରକାର ଗଢିବ। ଜଣେ ସୁସ୍ଥ, ସକ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶାବାସୀ। ଓଡ଼ିଶାରେ ଜନତାଙ୍କ ସରକାର ଦରକାର । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ । ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି ଜେପି ନଡ୍ଡା। ସୂଚନା ଥାଉକି ରୋଡ ସୋ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଜାରି ରହିଥିଲା। ଏଠାରେ ଦର୍ଶନ ସାରି ଅପରାହ୍ଣରେ ବରଗଡ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡରେ ବିଶାଳ ଜନସଭାକୁ ଉଦ୍ବୋଧନ ଦେବେ ନଡ୍ଡା।

Leave A Reply

Your email address will not be published.