Latest Odisha News

BREAKING NEWS

ଓଡ଼ିଶାର ପ୍ରମୋଦ କୁମାର ମିଶ୍ର ଦେଶର ଦ୍ୱିତୀୟ ଶୀର୍ଷ ନୀତି ନିର୍ଦ୍ଧାରକ

ଭୁବନେଶ୍ୱର: ଦେଶର ନୀତି ନିର୍ଦ୍ଧାରଣ କରୁଥିବା ଯେଉଁ କେତେକ ପ୍ରଭାବଶାଳୀ ପ୍ରଶାସକଙ୍କ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡ଼ିଆ ପୁଅ ଡ. ପ୍ରମୋଦ କୁମାର ମିଶ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ସମସ୍ତ ଫାଇଲ୍ ପ୍ରମୋଦ କୁମାର ମିଶ୍ରଙ୍କର ଟେବୁଲ ଦେଇ ହିଁ ଯାଇଥାଏ। ସିଏ ଦେଖିବା ପରେ ଯାଇ ଫାଇଲ୍‌ ପାସ୍ ହୋଇଥାଏ। ତେଣୁ ଦେଶର ନୀତି ନିର୍ଦ୍ଧାରଣ କରୁଥିବା ପ୍ରଶାସକଙ୍କ ମଧ୍ୟର ପ୍ରମୋଦ କୁମାର ମିଶ୍ର ଦ୍ୱିତୀୟ ସ୍ଥାନରେ ରଖିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ। ଇଣ୍ଡିଆ ଟୁଡେ ପକ୍ଷରୁ ସର୍ଭେ କରାଯାଇ ୧୦ ପ୍ରମୁଖ ନୀତି ନିର୍ଦ୍ଧାରକଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଦୁଇ ଜଣ ଓଡ଼ିଆ ମଧ୍ୟ ଅଛନ୍ତି।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ରହିଥିବା ବେଳେ ତୃତୀୟ ସ୍ଥାନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ଅନ୍ୟତମ ଓଡ଼ିଆ ପୁଅ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ତେବେ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିବାରୁ ତାଙ୍କ ନମ୍ବର ଦୁଇ ନମ୍ବରରେ ଆସୁଛି। ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର୍‌ ଆଇଏଏସ୍ ଅଧିକାରୀ ଡ. ମିଶ୍ର ଦେଶରେ ସଂସ୍କାର, ନୀତି ଓ ଯୋଜନାଗୁଡ଼ିକର ରୂପାୟନ ତଥା ସରକାରୀସ୍ତରରେ ନିଯୁକ୍ତି କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି।

କୌଣସି ଅମଲାତାନ୍ତ୍ରିକ, ବୈଷୟିକ ଓ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦବିରେ ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ କରିବା ପୂର୍ବରୁ ଡ. ମିଶ୍ରଙ୍କ ଟେବୁଲ ଦେଇ ପ୍ରଥମେ ଫାଇଲ୍ ଯାଇଥାଏ। ସେ ଉପରୋକ୍ତ ମାମଲାରେ ସବୁ ରୂପରେଖ ତିଆରି କରିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଫାଇଲ୍ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଯାଇଥାଏ।

ଗୁଜରାଟ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ସମ୍ବାଳିଥିବା ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରଚୁର ଅଭିଜ୍ଞତା ହାସଲ କରିଥିବା ଡ. ମିଶ୍ର ୨୦୦୩ରେ ମିଳିତ ଜାତିସଂଘର ପୁରସ୍କାର ପାଇଥିଲେ।

ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଉପଯୁକ୍ତ କାର୍ଯ୍ୟରେ ଅବସ୍ଥାପିତ କରି ଅମଲାତନ୍ତ୍ରକୁ ଦକ୍ଷ ଓ ସକ୍ରିୟ କରିବାର ସେ ଯେଉଁ ବାଟ ବାହାର କରିଛନ୍ତି, ତାହା ପ୍ରଶାସନିକ ସଂସ୍କାର ଆଣିପାରିଛି। ପ୍ରଶାସନିକ ଅଧିକାରୀଙ୍କ କ୍ଷମତାରେ ମଧ୍ୟ ଅପବ୍ୟବହାର ହୋଇପାରୁ ନାହିଁ।‌

Leave A Reply

Your email address will not be published.