Latest Odisha News

BREAKING NEWS

କବିତା : ରାତିର କଥା

ସାଧନା ପଣ୍ଡା

ଭଲ ପାଇବାର ବିଭୁତିକୁ
ଛାତିରେ ସାଇତି
ଗ୍ରହଣ ପରି ଢୋକୁଛି
ପ୍ରୀତିର ଗରଳକୁ !

ଶୋଷରେ ଜର ଜର
ଏଇ ଦୁର୍ବଳ ମନର ଜଖମରେ
ମଲମ ଲଗାଇ
ନିସ୍ତେଜ, ନିର୍ବେଦରେ
ସାରା ରାତି ଅନାଇ ରହିଛି
ଟିକେ ଶ୍ୟାମଳ ଛୁଆଁକୁ !

ଅନନ୍ତ ପ୍ରତୀକ୍ଷାର ଅନ୍ତକରି
ଧୋଇ ଦେଇଛି
ଶ୍ରାବଣ ବର୍ଷାର ଧାରାରେ
ପ୍ରତୀକ୍ଷାର ପ୍ରତିଶ୍ରୁତିକୁ !

ନିର୍ବୋଧ ଶିଶୁଟିଏ ହୋଇ
ଛାତିରେ ଲେପୁଛି
ଟୋପାଏ ଅନୁରାଗର ଅବିରକୁ !

ଘନ ଘୋର ଆବେଗର ଛାପ
ମୁଣ୍ଡ ଉପରେ ଲଦି
ବିଷର୍ଣ୍ଣ ମନରେ ଅନାଇ ରହିଛି
କୋହ ଭରା ଆକାଶକୁ !

ଜୀବନ ଏଇମିତି
ଅହରହ ସଂଗ୍ରାମରେ ନିମଜ୍ଜିତ
କଣ୍ଟାର ବିଛଣାରେ ମନା
ଫୁଲର ସ୍ୱପ୍ନ ଦେଖିବାକୁ !

ଯେତେ ଥର ହାତ ବଢାଇଛି
ଛୁଇଁବାକୁ
କାଳେ ଜହ୍ନର କଳଙ୍କ
ଲାଗାଇ ଦେବ ପ୍ରେମରେ ଦାଗ
ମନର ପାପ ଟାଣିଧରେ ପଛକୁ !!

କିଛି ନଥାଇ ବି’ ସବୁ ଥିବାର ସୁଖ କିଛି ନ ପାଇବି
ପାଇଯିବାର ପୁଲକରେ
ଛଳ ଛଳ ହୋଇଯାଏ ଓଦା ମେଘ
ଲୁହରେ ଭରିଯାଏ
ଆଖିର ବେଳାଭୂମି
ସାରା ଜୀବନର ଲୁହ
ମିଠା ମିଠା ସ୍ମୃତି ହୋଇ
ସଞ୍ଚରି ଯାଏ ଅଳିନ୍ଦରୁ ଧମନୀକୁ !

ହସର ଅନ୍ତରାଳେ
ଅତନ୍ଦ୍ର ରାତିର ଅବସୋସ
ନିଏ ସମାଧି ବାଲି ଶେଯ ତଳେ
ଜାବୁଡି ଥର ଥର
ଅନ୍ଧାର ରାତିର ସ୍ୱପ୍ନାବଶେଷ !!

ଭୁବନେଶ୍ବର

Leave A Reply

Your email address will not be published.