Latest Odisha News

BREAKING NEWS

ଏଣିକି ନବମ-ଦଶମ ପିଲାଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ, ବିଭିନ୍ନ କ୍ଷେତ୍ର ପାଇଁ ମିଳିବ ମାର୍ଗଦର୍ଶନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଦୃଢ଼ ଇଚ୍ଛାଶକ୍ତି, ସଠିକ ମାର୍ଗଦର୍ଶନ ଏବଂ ନିରନ୍ତର ଅଭ୍ୟାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗୁଣାତ୍ମକ ଶିକ୍ଷା ସହିତ ସ୍କିଲ୍ (Skills) ବିକାଶ ଏବଂ ସମୟୋଚିତ ପଦକ୍ଷେପ ସେମାନଙ୍କୁ ଭବିଷ୍ୟତର ସଫଳତା ଦିଗରେ ଆଗେଇ ନେଇଥାଏ। ଏହାସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଲାଙ୍କ କ୍ୟାରିୟର ଗାଇଡାନ୍ସ। ପିଲାଙ୍କ ମାର୍ଗଦର୍ଶନ ସଠିକ୍ ଥିଲେ ସେମାନେ ନିଜର କ୍ୟାରିୟର ବନେଇବାରେ ସହଜ ମନେ କରନ୍ତି। ଏଥିପାଇଁ ଓସେପା ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏବେଠାରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପାଠପଢ଼ା ପରେ କେଉଁ କ୍ଷେତ୍ରରେ କ୍ୟାରିୟର କରିବେ ସେନେଇ ଦିଆଯିବ ମାର୍ଗଦର୍ଶନ। ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍‌ସ। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲରେ ହେବ କ୍ୟାରିୟର ୱେବିନାର। ୟୁପିଏସ୍‌ସି, ଓପିଏସ୍‌ସି, ହୋଟେଲ ମ୍ୟାନେଜ୍‌ମେଣ୍ଟ, ପୁଲିସ, ସାମ୍ବାଦିକତା, କୃଷି, ଅକ୍ଷୟ ଶକ୍ତି, ଧନ୍ଦାମୂଳକ, ସ୍ୱାସ୍ଥ୍ୟ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ମାର୍ଗଦର୍ଶନ ଦିଆଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦୨୭ ଯାଏ ଚାଲିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ଓସେପା ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି, ମୋଟ ୨୧ଟି ୱେବିନାର ହେବ। ଏଥିରୁ ୨୦୨୭ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ୧୩ଟି ୱେବିନାର ହେବ। ବାକି ୧୪ରୁ ୨୧ଟି ବିଷୟରେ ୱେବିନାର ମଧ୍ୟ କରାଯିବ । ଶନିବାର ଏହାର ଶୁଭାରମ୍ଭ ହେବ। ପ୍ରଥମ ଦିନରେ ‘ସେଲ୍ଫ ଡିସ୍କୋଭରି ଆଣ୍ଡ କ୍ୟାରିୟର ପ୍ଲାନିଂ’ ଉପରେ ୱେବିନାର କରାଯିବ। ତେଣୁ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ମାନେ ନିଜ ସ୍କୁଲରେ ଏହାର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ। ସ୍ମାର୍ଟ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀମାନେ ବସି ଏହାକୁ ଶୁଣିବେ ଏବଂ ନିଜର କ୍ୟାରିୟର ପାଇଁ ନିଜର ମାର୍ଗ ବାଝିବେ। ଯେପରି ସମସ୍ତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦାନ କରିବେ ତାକୁ ସୁନିଶ୍ଚିତ କରାଯିବ।

ଏହା ଲାଇଭ୍ ସେସନ୍ କରାଯିବ। ଆଇସିଟି ଲ୍ୟାବ୍, କମ୍ପ୍ୟୁଟର ଅଫ ଲାଇବ୍ରେରୀ, ଅନ୍ୟ ଡିଜିଟାଲ ଡିଭାଇସ୍ରେ ଏହାକୁ ସଂରକ୍ଷିତ ମଧ୍ୟ ରଖାଯିବ। ପରବର୍ତ୍ତୀ ସମୟରେ ପ୍ରଦାନ କରାଯାଇଥିବା ୟୁଟ୍ୟୁବ୍ ଲିଙ୍କ୍ ଓ ଗୁଗୁଲ୍ ଟ୍ରାକର ହ୍ୱାଟସ୍ଆପ୍ ଗ୍ରୁପରେ ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ବିଭାଗ ସଂଗ୍ରହ କରିବ। ପ୍ରତି ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀ ପିଲାଙ୍କ ପ୍ରତିନିଧିଭାବେ ରହିବେ। ସେମାନେ ପିଲାଙ୍କ ତରଫରୁ କୌଣସି ସମସ୍ୟା କିମ୍ବା କିଛି ଜାଣିବାକୁ ଥିଲେ ସେମାନେ ଜଣାଇ ପାରିବେ।

ସୂଚନାଯୋଗ୍ୟ, ଶନିବାର ହେବାକୁ ଥିବା ୱେବିନାରରେ ଛାତ୍ରଛାତ୍ରୀଙ୍କ କେଉଁ କ୍ଷେତ୍ର ପାଇଁ ଇଚ୍ଛା ଅଛି, ଭବିଷ୍ୟତ କ୍ୟାରିୟର ପାଇଁ କେଉଁ କ୍ଷେତ୍ରରେ ଭଲ ସ୍କୋପ୍ ରହିଛି, ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ଆଦି ଷ୍ଟ୍ରିମ୍ ସଂପର୍କରେ ସେମାନଙ୍କୁ ଅବଗତ କରାଯିବ। କେଉଁ କ୍ଷେତ୍ରରେ ନାମଲେଖା ତଥା ପାଠପଢ଼ିଲେ ଭଲ ଭବିଷ୍ୟତ ଗଠନ ହୋଇପାରିବ ସେନେଇ ମଧ୍ୟ ଦିଗ୍‌ଦର୍ଶନ ଦିଆଯିବ।

Leave A Reply

Your email address will not be published.