Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ ସେମାନଙ୍କ ପରିଚୟ ଖୋଜୁଛନ୍ତି ।

ଭୁବନେଶ୍ୱର ଏମ୍ସର ସୂଚନା ଅନୁସାରେ, ୧୬୨ଟି ମୃତଦେହ କର୍ତ୍ତୃପକ୍ଷ ରଖିଥିଲେ । ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଗୋଟିଏ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଆସିବା ଫଳରେ ମୃତଦେହ ଓ ଦାବିଦାରଙ୍କ ଡିଏନଏ ମ୍ୟାଚ୍ କରାଯାଇଥିଲା । ଡିଏନଏ ମ୍ୟାଚ୍ ପରେ ୫୨ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା ।

ଏବେ ଭୁବନେଶ୍ୱର ଏମ୍ସର କଣ୍ଟେନରରେ ୨୯ଟି ମୃତଦେହ ରହିଛି । ଯଦି ଏସବୁର ଡିଏନଏ ମ୍ୟାଚ୍ ନ ହୁଏ ତାହେଲେ ଏହାର ଦାବିଦାର କେହି ନାହାଁନ୍ତି ବୋଲି ବିଚାରକୁ ନିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, ଜୁନ୍ ୨ ସନ୍ଧ୍ୟାରେ ଗୋଟିଏ ମାଲଗାଡ଼ି ସହ କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.