Latest Odisha News

BREAKING NEWS

ବିରୋଧୀ ଏକାଠି, ବିଜେଡି ନିରବ କାହିଁକି ?

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ବିଜେଡିର ନୀରବତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଜେଡି ସବୁବେଳେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଜାତୀୟ ସ୍ତରରେ ସମଦୁରତା ଅବଲମ୍ବନ କରିବା କଥା କୁହେ। କିନ୍ତୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନିରବ ରହିବା ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଦେଇଛି।

ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇ ଉଠିଛି। ଏହି ପ୍ରସଙ୍ଗ ସବୁ ବିରୋଧୀଙ୍କୁ ଏକ କରିବାରେ ସମର୍ଥ ହୋଇଛି। ରାହୁଲଙ୍କ ସମର୍ଥନ ଦେଉ ନ ଥିବା କିମ୍ବା କଂଗ୍ରେସ ସହ ନ ଥିବା ବିରୋଧୀ ଦଳ ଗୁଡିକ ମଧ୍ୟ ରାହୁଲଙ୍କ ବିରୋଧରେ ଏ କାର୍ଯ୍ୟାନୁଷ୍ଠାନକୁ ଖୋଲାଖୋଲି ନିନ୍ଦା କରିବା ସହ ବିଜେପିକୁ ଟାର୍ଗେଟ କରୁଛନ୍ତି।

ବିଆରଏସ ସମେତ ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ପ୍ରମୁଖ ଏହାକୁ ଜୋରଦାର ବିରୋଧ କରୁଛନ୍ତି। କେବଳ ରାଜନୈତିକ ଦଳ କିମ୍ବା ନେତା ନୁହନ୍ତି ବିଭିନ୍ନ ବର୍ଗର ଲୋକେ ମଧ୍ୟ ରାହୁଲଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏପରିକି ସାମାଜିକ ଗଣମାଧ୍ୟମ ଗୁଡିକରେ ମଧ୍ୟ ରାହୁଲଙ୍କ ସପକ୍ଷରେ ସମର୍ଥନ ବଢୁଥିବା ଦେଖିବାକୁ ମିଳିଛି।

କିନ୍ତୁ ବିଜେଡି ଏ ପ୍ରସଙ୍ଗରେ କିଛି ନ କହିବା ଆଲୋଚନାର ବିଷୟ ହୋଇଛି। ସେପଟେ ଜାତୀୟ ସ୍ତରରେ ଯେଉଁ ସରକାର ଥାଏ ତାକୁ ଆଖି ଆଗରେ ରଖି ବିଜେଡି ନିଜ ସ୍ୱାର୍ଥକୁ ନଜରରେ ରଖି ନିଷ୍ପତ୍ତି ନିଏ ବୋଲି ରାଜନୀତି ସମୀକ୍ଷକ ମାନେ କହିଛନ୍ତି। ସଂଘୀୟ ବ୍ୟବସ୍ଥାକୁ ଦୃଢ଼ କରିବା କଥା କହୁଥିବା ବିଜେଡି ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ କିଛି ନ କହିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରୁଥିବାରୁ ବିରୋଧୀଙ୍କ କଣ୍ଠରୋଧ କରିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ଏବେ ରାହୁଲଙ୍କ ପ୍ରସଙ୍ଗରେ ସବୁ ବିରୋଧୀ ଏକ ହୋଇଥିବାବେଳେ ବିଜେଡି କିନ୍ତୁ କିଛି କହୁନି।

ଏପରିକି କିଛି ଦିନ ତଳେ ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଆରଏସ ନେତ୍ରୀ କେ କବିତା ଆନ୍ଦୋଳନ କରିଥିଲେ ମଧ୍ୟ ବିଜେଡି ଚୁପ ରହିଥିଲା। ଏହି ସମାନ ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଅଭିଯାନ ଚଳାଇଥିବା ବିଜେଡି କିନ୍ତୁ କବିତାଙ୍କ ଆନ୍ଦୋଳନ କୁ ସମର୍ଥନ କରି ନ ଥିଲା। ଦେଶର ବହୁ ରାଜନୈତିକ ଦଳ କବିତାଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ବିଜେଡି ନିରବ ରହିବାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା।

ଏଭଳି ହେବାଦ୍ୱାରା ବିଜେଡି ଚିହ୍ନା ପଡୁଛି ଓ ଆଗାମୀ ଦିନରେ ଦଳକୁ ଏହାର ପରିଣାମ ଭୋଗିବାକୁ ପଡିପାରେ ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି। ପ୍ରଥମରୁ ୯ ବର୍ଷ ଧରି ବିଜେପି ସହ ମିଶି ରାଜ୍ୟରେ ଶାସନ କରୁଥିବା ବିଜେଡି ୨୦୦୯ ପରଠାରୁ ଏକାକୀ ରାଜ୍ୟରେ ଶାସନରେ ରହିଛି। କେନ୍ଦ୍ରୀୟ ସ୍ତରରେ ବିଜେଡି ସବୁବେଳେ ସମଦୁରତା ରକ୍ଷା କଥା ମଧ୍ୟ କୁହେ। କିନ୍ତୁ ବିଭିନ୍ନ ସମୟରେ ବିଜେଡି ବିଜେପିର ସମ୍ପର୍କକୁ ନେଇ ବିରୋଧୀ କଂଗ୍ରେସ କଥା ଉଠାଏ। ଏବେ ବିଜେଡିର ଆଭିମୁଖ୍ୟକୁ ନେଇ ଏହି ଚର୍ଚ୍ଚା ପୁଣିଥରେ ଜୋର ଧରିଛି।

Leave A Reply

Your email address will not be published.