Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ମୁଖ୍ୟ ଜଳ ଉତ୍ସଥିବା ମୂଷାନଈ ଉପରେ ମାଫିଆଙ୍କ ନଜର !

ପୁରୀ: ରାହା ଖୋଜୁଛି ପୁରୀର ଐତିହ୍ୟ ସମ୍ପନ୍ନ ମୂଷାନଈ। ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଧୀରେଧୀରେ ସଙ୍କୁଚିତ ହୋଇ ପୋତି ହେବାକୁ ବସିଲାଣି ମୂଷାନଈ। ଅବଢ଼ା ଯୋଜନାରେ ସାମିଲ ଏହି ନଦୀର ଉନ୍ନତିକରଣ ଏବେ ଠପ୍ ହୋଇପଡ଼ିଛି। ଜମି ଅଧିଗ୍ରହଣ ସରୁନଥିବା ବେଳେ ମାଫିଆଙ୍କ କବଳରେ ଥିବା ମୂଷାନଈ ତାର ଅସ୍ତିତ୍ୱ ହରାଇବାରେ ଲାଗିଛି। ଅନ୍ୟପଟେ ପୁରୀ ଉନ୍ନତିକରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ।

ଦିନେ ଶ୍ରୀକ୍ଷେତ୍ରର ମୁଖ୍ୟ ଜଳ ଉତ୍ସଥିଲା ମୂଷାନଈ। ଏକଦା ଅଠରନଳା ନଦୀ ନାମରେ ପରିଚିତ ଥିବା ଏହି ନଦୀ ହୁଳୁହୁଳିଆ ପୋଲ ଓ ଅଠରନଳା ତଳେ ଦେଇ ମଙ୍ଗଳା ନଦୀରେ ମିଶିଛି। କିନ୍ତୁ ଏବେ ମାଫିଆଙ୍କ କବଳରେ ପଡି ନିଜର ଅସ୍ଥିତ୍ୱ ହରାଉଛି ଏହି ମୂଷାନଈ।ସେପଟେ ଅବଢ଼ା ଯୋଜନାରେ ଅନ୍ତର୍ଭୁକ୍ତ ଏହି ମୂଷାନଦୀ, ରିଭରଫ୍ରଣ୍ଟ ବିକାଶ ପାଇଁ ଯୋଜନା କରାଯାଇଥିବା ବେଳେ ଗତବର୍ଷ ଏହାର ଉନ୍ନତିକରଣ ପାଇଁ ୨୫୦ କୋଟି ଟଙ୍କାର ଅଟକଳ କରାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

ବ୍ଲୁ ପ୍ରିଣ୍ଟ ଅନୁଯାୟୀ ୪୬ ଏକର ଜମି ଅଧିଗ୍ରହଣ ହେବାକୁ ଯୋଜନା କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ଏକତୃତୀୟାଂଶ ଜମି ଅଧିଗ୍ରହଣ ସରିଛି । ଅନ୍ୟପଟେ ଦୀର୍ଘ ଏକବର୍ଷ ପରେ ମଧ୍ୟ ଉନ୍ନତିକରଣ କାର୍ଯ୍ୟ ତ୍ଵରାନ୍ବିତ କରିବାରେ ବିଫଳ ହୋଇଛି ପ୍ରଶାସନ । ଏବେ ସମ୍ପୂର୍ଣ୍ଣ ଦଳ କବଳିତ ହୋଇ ରହିଛି ଏହି ନଦୀ । ଦଳ କାଢ଼ିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଫଳ ଶୁନ୍ୟ ରହିଛି ।

ପୁରୀ ସହରର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥାର ମଧ୍ୟ ଏହା ଏକ ପ୍ରମୁଖ ଉତ୍ସ। ଐତିହ୍ୟ ସମ୍ପନ୍ନ ମୂଷାନଦୀର ରହିଛି ପୋୖରାଣିକ ମହତ୍ୱ । ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ପୋଖରୀ ମଧ୍ୟ ଏହି ନଦୀ ଉପରେ ନିର୍ଭରଶୀଳ। ମୂଷାନଦୀକୁ ନରେନ୍ଦ୍ର ପୋଖରୀର ଜଳ ନିଷ୍କାସନ ପାଇଁ ରହିଛି ସ୍ୱତନ୍ତ୍ର ବାଟ। ଏହି ପ୍ରକଳ୍ପର ଦାୟିତ୍ୱ ନେଇଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଏହି ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ କାମ କରିବାକୁ ଚୁକ୍ତି ସରିଥିବା କଥା କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମଙ୍ଗଳାନଦୀରୁ ମୂଷାନଦୀ ୩.୨ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିଛି । ଦ୍ଵିତୀୟ ପର୍ଯ୍ୟାୟରେ ଅଠରନଳାରୁ ଆଳିକିଆ ଦେଇ କାଞ୍ଚିନଦୀ ୭କିମି ପର୍ଯ୍ୟନ୍ତ ଏହି ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓବିସିସି ଅଧିକାରୀ କହିଛନ୍ତି । ସେପଟେ ପୁରୀ ଜିଲାପାଳ ଚିରାଚରିତ ଢଙ୍ଗରେ ଉନ୍ନତିକରଣ କାର୍ଯ୍ୟ ଫୁଲସୁଇଂରେ ଚାଲୁଥିବା କଥା ପ୍ରତିକ୍ରିୟାରେ କହିଛନ୍ତି। ଏପରିକି ବାରମ୍ବାର ଦଳ କାଢ଼ିବାରେ ଖର୍ଚ୍ଚ ହେଉଥିବାରୁ ତାର ସ୍ଥାୟୀ ସମାଧନ ବାହାର କରାଯାଇଛି ବୋଲି ସେ କହିଛନ୍ତି।

ଗୋଟିଏ ପଟରେ ମାଫିଆଙ୍କ ଦୌରାତ୍ମ୍ୟ, ଅନ୍ୟପଟରେ ପ୍ରଶାସନିକ ଦାୟୀତ୍ୱହୀନତା ଯୋଗୁଁ ଏବେ ମୂଷାନଦୀ ଲୀନ ହେବାକୁ ବସିଥିବା ବେଳେ କେବେ ଏହାର ଉନ୍ନତିକରଣ କାର୍ଯ୍ୟ ସମ୍ପନ୍ନ ହେବ ତା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.