(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)
ସବୁ ସମୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା । ଚାଷୀ କୁଳର ଉନ୍ନତି ପାଇଁ ସବୁବେଳେ ନୂଆ ପରିପାଟୀର ସମାହାର । ବଜେଟ ହେଉ କି ସ୍ୱତନ୍ତ୍ର ପ୍ୟାକେଜ, ଚାଷୀ ହିଁ ଫୋକସ୍ରେ ।
ବର୍ତ୍ତମାନର କରୋନା ମହାମାରୀ ସମୟରେ ବି ଚାଷୀଙ୍କ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ ସରକାରଙ୍କ ତରଫରୁ ବିହିତ ପଦକ୍ଷେପମାନ କାର୍ଯ୍ୟକାରୀ ହେଉଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଏକ ଦେଶ , ଏକ ବଜାର ନିଶ୍ଚୟ ଭାବରେ ସ୍ୱାଗତ ଯୋଗ୍ୟ ନିଷ୍ପତ୍ତି । ଚାଷୀଟିଏ ନିଜର କର୍ମ ସମ୍ପାଦନ କରେ , ଖରା ହେଉ କି ବର୍ଷା ଅବାଶୀତ, କର୍ତ୍ତବ୍ୟରୁ ବିରତ ହେବା କଣ ଶିଖିନି ସିଏ । କାରଣ ସେ କୁଶଳୀ । ସେ ମାଟିର ମଣିଷ ।ସେଇଥି ପାଇଁ ତା’ର ପ୍ରତିଟି ଶ୍ରମ ଆମ ବଂଚିବାର ମାର୍ଗଦର୍ଶକ । ଆମେ ଖାଦ୍ୟ ଖାଉ ଆଉ ସେ ଜମିରେ ସୁନା ଫଳାଏ । କାଦୁଅ ମାଟିରେ ଚକଟି ହେଇ ସେ ତିଆରି କରେ ସବୁଜିମାର ପଟ୍ଟଭୂମି । ସେ ସବୁଜଶିଳ୍ପୀ, ସେ ଅନ୍ନଦାତା ।
ଖରିଫ ଅବା ରବି ଋତୁ ସମୟରେ ଚାଷୀ ନିଜ ଜମିରେ ବିଭିନ୍ନ ପ୍ରକାର ଫସଲ ଫଳାଏ । କିନ୍ତୁ ଜମିରେ ଚାଷ କରୁଥିବା ସମୟରେ ସେ କେବଳ ଆକଳନ କରେ ଅମଳର ରେଖା ଉପରେ । କିନ୍ତୁ ସଠିକ ଭାବରେ ଅମଳର ପରିମାଣ ସ୍ଥିର କରିପାରେ ନାହିଁ । କାରଣ ବିହନ ବୁଣାଠାରୁ ଅମଳ ଆଉ ତା ପରେ ବଜାରରେ ବିକ୍ରୟ – ଏହା ଏକ ଲମ୍ବା ପ୍ରଣାଳୀ । ତେବେ ଅମଳ ପରେ ବଜାରରେ କେଉଁ ଫସଲ କେତେ ଦରରେ ବିକ୍ରିହେବ, ଏହା ଉପରେ ହିଁ ନିର୍ଭର କରେ ଚାଷୀର ପାଉଣା । ବିଗତ କିଛି ଦିନ ତଳେ ଆତ୍ମନିର୍ଭର ଭାରତ ପ୍ୟାକେଜରେ କୃଷି ବିପଣନରେ ସଂସ୍କାର କଥାକୁ ସରକାର ଦୋହରାଇଥିଲେ । କୃଷିବିପଣନରେ ସଂସ୍କାର ଆଣିବା ପାଇଁ ଉତ୍ପାଦିତ ଦ୍ରବ୍ୟକୁ ସଠିକ ମୂଲ୍ୟରେ ବିକ୍ରି କରିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ମଧ୍ୟ ନିଆଯିବା ସହ କୃଷିଜାତ ସାମଗ୍ରୀ ପାଇଁ ଇ ଟ୍ରେଡ଼ିଂର ବ୍ୟବହାର କରାଯିବକୁ ସରକାର ନିଷ୍ପତ୍ତି ନେଇଥିଲେ । ପ୍ରାକୃତିକ ବିପତ୍ତି ସମୟରେ କିପରି ଦର ନିୟନ୍ତ୍ରଣ କରାଯିବ, ସେ ଦିଗରେ ଧ୍ୟାନ ଦିଆଯିବା ସହ ମଧ୍ୟ କୃଷି କ୍ଷେତ୍ରରେ ନିବେଶ ବଢ଼େଇବା ପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ – ୧୯୫୫କୁ ସଂଶୋଧନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତ୍ତମାନ ସମୟରେ ପୁଣି ଏକ ଦେଶ, ଏକ ବଜାର ଘୋଷଣା ନିଶ୍ଚୟ ଭାବେ ଚାଷୀଙ୍କ ମନୋବଳକୁ ବୃଦ୍ଧି କରାଇବ । ସବୁ ସମୟରେ କୃଷିକ୍ଷେତ୍ରରେ ଅମଳ ପରବର୍ତ୍ତୀ ସମୟରେ ତୃତୀୟଲୋକ ଅର୍ଥାତ ମଧ୍ୟସ୍ଥି ଦଲାଲମାନେ ମୁଖ୍ୟ ଭୂମିକା ନେଇଥାନ୍ତି ।
ସତକଥାଟା କହିବାକୁ ଗଲେ ଚାଷୀ ତ ଏତେ ଭିତର କଥା ବୁଝିପାରେନି । ସେ କେବଳ ଚାଷ କରେ ଆଉ ଚାଷରୁ ଦି ପଇସା କମେଇଲେ ଘର ଚଳାଏ । ସେବା ଏ ଛନ୍ଦ କପଟକୁ କାହିୁଁ ପଶିବ । ଏପରି ସମୟରେ ଚାଷୀର ସରଳତାର ସୁଯୋଗ ନିଅନ୍ତି ଏମିତି କିଛଇ ମଧ୍ୟବର୍ତ୍ତୀ ଦଲାଲ । ଯେଉଁମାନେ ସମାଗ୍ରୀର ଦର ନିଷ୍ପତ୍ତି ନେଇ ବଜାରକୁ ଛାଡ଼ିଥାନ୍ତି ଆଉ ସେଥିରୁ କିଛି ପଇସା ନିଜ ପକେଟରେ ରଖିଥାନ୍ତି । କିନ୍ତୁ ବର୍ତ୍ତମାନର ଏ ଘୋଷଣା ପରେ ଚାଷୀଙ୍କ ପାଇଁ ଦ୍ୱାରା ଉନ୍ମୁକ୍ତ ହୋଇଯିବ । ଚାଷୀମାନେ ଚାହିଁଲେ ନିଜର ଦ୍ରବ୍ୟକୁ ଯେ କୌଣସି ସ୍ଥାନରେ ବିକ୍ରି କରିପାରିବେ । ଅନ୍ତତଃ ଏହି ଦଲାଲଙ୍କ ଦୃଷ୍ଟିରୁ ମୁକ୍ତି ପାଇବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୨୦୨୨ ସୁଦ୍ଧାଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି । କିନ୍ତୁ ଯଦି ଏପରି ଦଲାଲଙ୍କ ରାଜ ଚାଲେତା ହେଲେ କଣ ଏ ସ୍ୱପ୍ନ ସାକାର ହୋଇପାରିବ । ଦେଶର ଆର୍ଥିକ ସ୍ଥିତି କୃଷି ଉପରେ ନିର୍ଭରଶୀଳ ।କୃଷି ବିପଣନର ସଂସ୍କାର ହେଲେ ହୁଏ ତ ଚାଷୀଟିଏ କିଛିଲାଭ ପାଇପାରିବ । ଯେହେତୁ ପୂର୍ବରୁ ଚାଷୀମାନେ ନିଜ ଉତ୍ପାଦତ ଦ୍ରବ୍ୟର ଦର ନିଜେ ସ୍ଥିର କରି ପାରୁନଥିଲେ, ତେଣୁ ଅସୁବଧାର ସମ୍ମୁଖୀନ ହେଉଥିଲେ । କାରଣ ପ୍ରକୃତ ମୂଲ୍ୟ ସେମାନେ ପାଇପାରୁନଥିଲେ । ବଜାର ସହସିଧାସଳଖ ସମ୍ପର୍କ ରହିପାରୁ ନଥିଲା । କିନ୍ତୁ ଏହି ଏକ ବଜାର ସେମାନଙ୍କୁ ଗୋଟିଏ ସୂତ୍ରରେ ଯୋଡ଼ିଦେବ । ଦ୍ୱତୀୟ କଥା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ଶୀତଳଭଣ୍ଡାରର ଅଭାବ ।ଚାଷୀଟିଏ ଚାହିଁଲେ ନିଜ ଅମଳ କରୁଥିବା ସାମଗ୍ରୀକୁ ତା ଇଚ୍ଛା ମୁତାବକ ଆଉ କୌଣସି ରାଜ୍ୟକୁ ପଠାଇପାରିବ । କିନ୍ତୁ ଏହି ଅଭାବ ଯୋଗୁଁ ଦ୍ରବ୍ୟଗୁଡ଼ିକ ପଚିଯାଏ ଅଥବା ବିକ୍ରି ଉପଯୋଗୀ ହୋଇପାରେନି । ଆମେ ବାହାର ଦେଶରୁ ଫୁଲ ଆଣୁଛେ । କିନ୍ତୁ ଆମଚାଷୀ ନିଜ ଜମିରେ ଫୁଲଚାଷ କରିବି ଠିକ ଭାବରେ ବିକ୍ରି କରିପାରୁନି । ଏକ ବଜାର ମାଧ୍ୟମରେ ପ୍ରତିଦ୍ୱନ୍ଦିତାର ଅନ୍ତହେବ ବୋଲି ମୋର ଆଶା ।
ଭାରତରେ କ୍ଷୁଦ୍ର ଓ ଭାଗଚାଷୀଙ୍କ ସଂଖ୍ୟା ବି କମ ନୁହେଁ । ଏପରିସ୍ଥିତିରେ ଯଦି ଦଲାଲ ରାଜୁତି ଚାଲିବ , ତା ହେଲେ ଚାଷୀମାନେ ସେମାନଙ୍କ ପରିଶ୍ରମର ମୂଳଧନ ବି ପାଇପାରିବେ ନାହିଁ । କାରଣ ଜଟିଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଖୁବ କମ ଚାଷୀଙ୍କ ପାଖରେ ଶକ୍ତି ଥାଏ ।ସୁତାରଂ ଏକ ଦେଶ, ଏକ ବଜାର ଦ୍ୱାରା ଚାଷୀମାନେ ବ୍ୟବସ୍ଥିତ ଢ଼ଙ୍ଗରେ ନିଜ ଉତ୍ପାଦିତ ସାମଗ୍ରୀର ଦର ବାଛିବେ । ଉଭୟ ଜନସାଧାରଣ ଓ ଚାଷୀ କିପରି ସହଯୋଗିତାର ସେତୁରେ ବାନ୍ଧି ହୋଇ ରହିପାରିବେ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ ।
ଏଇ କିଛି ଦିନ ତଳେ କ୍ୟାବିନେଟରେ ହୋଇଥିବା ଏହି ନିଷ୍ପତ୍ତି ଫଳରେ ଘରୋଇ ନିବେଶକମାନଙ୍କ ପ୍ରତିପତ୍ତିରୁ ମୁକ୍ତ ହେବେ ଚାଷୀ । ଏହା ବ୍ୟତୀତ କୃଷିଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ ଅଧ୍ୟାଦେଶକୁ ମଂଜୁରୀ କରିଛନ୍ତି ସରକାର । ଏହା ଫଲରେ ରାଜ୍ୟ ତଥା ରାଜ୍ୟ ବାହାରେ ଗୋଟିଏ ବଜାର ସହ ଉପଯୁକ୍ତ ଦର ସହିତ ଚାଷୀଙ୍କ ପାଇ ମାର୍ଗ ସୁଦୂର ବିସ୍ତାରୀ ହୋଇପାରିବ । ଚାଷୀ ନିଜର ପ୍ରକୃତମୂଲ୍ୟ ପାଇପାରିବ । ତେବେ ଏହା ଯେ କୃଷିକ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ, ଏଥିରେସନ୍ଦେହ ନାହିଁ ।
(ସମ୍ପାଦକ –ଶ୍ୟାମଳସୁବର୍ଣ୍ଣ ,ବାସୁଦେବପୁର , ଭଦ୍ରକ , ମୋ -୯୪୩୮୪୬୭୦୭୯)
Comments are closed.