Latest Odisha News

BREAKING NEWS

“ଗାଁ ଗାଁରେ ଲୋକଙ୍କ ସହିତ କାମ କଲେ ହିଁ ଟିକେଟ ମିଳିପାରିବ” : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ରାଜ୍ୟ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ଆଗକୁ ଆସୁଛି ବିଧାନସଭା ନିର୍ବାଚନ । କଂଗ୍ରେସ କର୍ମକର୍ତ୍ତା କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ପିସିସି ସଭାପତି କହିଛନ୍ତି, ଗାଁ ଗାଁରେ ରହି ଲୋକଙ୍କ ସହିତ କାମ କର, ଗ୍ରାମାଞ୍ଚଳରେ ବିଭିନ୍ନ ବର୍ଗର ଲୋକଙ୍କ ନିକଟତର ହୁଅନ୍ତୁ । ତେବେ ଯାଇ ବିଜୟ ସମ୍ଭାବନା ଆଧାରରେ ସେମାନଙ୍କ ମଧ୍ୟରୁ ଚୟନ କରାଯାଇ ବିଧାନସଭା ଟିକଟ ଦିଆଯିବ ।

ଦଶଜଣ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି (ଡ଼ିସିସି) ସଭାପତିମାନଙ୍କର ପ୍ରଥମ ବୈଠକର ସଭାପତିତ୍ୱ କରି ଗଣମାଧ୍ୟମକୁ ନିରଞ୍ଜନ କହିଛନ୍ତି, ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନରେ ସଭାପତି ନିଯୁ୍କ୍ତି କରିବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପ୍ରତି ଦୁଇମାସକୁ ଥରେ ଲେଖାଏଁ ଡ଼ିସିସି ଏହି ଜିଲ୍ଲା ପରିଷଦ ଜୋନ ସଭାପତିଙ୍କ ନିକଟରେ ଦଳର କାର୍ଯ୍ୟକଳାପର ରିପୋର୍ଟ ଦାଖଲ କରିବ । ତେବେ ଜଣାପଡ଼ିବ ତୃଣମୂଳ ସ୍ତରରେ କେଉଁ କର୍ମୀମାନେ କିପରି ଲୋକସମ୍ପର୍କ ରଖି କିପରି କାର୍ଯ୍ୟ କରିଛନ୍ତି । ଏହି ରିପୋର୍ଟକାର୍ଡ଼ ଅନୁଯାୟୀ ବିଧାନସଭା ଲାଗି ପ୍ରାର୍ଥୀ ଚୟନ କରିବ ପିସିସି ।

“ତିନି ଚାରୋଟି ଜିଲ୍ଲା ଡ଼ିସିସି ସଭାପତି ଚୟନରେ ଯେଉଁ ଅସନ୍ତୋଷ ଦେଖାଦେଇଛି ତାହାକୁ ଖୁବଶିଘ୍ର ସମାଧାନ କରାଯିବ” ବୋଲି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ଚୟନ କରାଯାଇନାହିଁ ଏବଂ ୨୮ଟି ସାଂଗଠନିକ ଜିଲ୍ଲାରେ ୫୪ଜଣ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ଶ୍ରୀଯୁକ୍ତ ମାଝୀ ।

ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦକ୍ଷିଣାଞ୍ଚଳର ୧୦ଟି କଂଗ୍ରେସ ସାଂଗଠନିକ ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦିନିଆ ବୈଠକରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସମ୍ପାଦକ ଅନୀଲ୍ ଚୌଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା, ଦକ୍ଷିଣାଞ୍ଚଳ ଜୋନର ୧୦ ଜଣ ସଭାପତି ତଥା କାର୍ଯ୍ୟକାରୀ ସଭାପତି ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.