Latest Odisha News

BREAKING NEWS

ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ…

ଭୁବନେଶ୍ୱର : ଆଜି ପ୍ରଥମ ରଜ । ସମଗ୍ର ଓଡ଼ିଶା ଆଜି ପାଳନ କରୁଛି ମହାନ ପାରମ୍ପରିକ ଉତ୍ସବ ‘ରଜ’ର ପ୍ରଥମ ଦିନ । ଘରେ ଘରେ ପିଠାର ସୁସ୍ୱାଦୁ ବାସ୍ନା ସହିତ ରଜପାନର ମଜ୍ଜା ନେଉଛନ୍ତି ସହର ଓ ଗାଁ’ର ଓଡ଼ିଆ ଝିଅମାନେ । ବଉଳଲୋ…ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ… । ଲାଗେ ଯେମିତି ଏହି ତିନିଦିନର ଆନନ୍ଦ ଉତ୍ସବ ବରଷକୁ ଥରେ ଆସେ ଏବଂ ଏହି ଆନନ୍ଦକୁ ପରସ୍ପର ମଧ୍ୟରେ ବାଣ୍ଟିଦେଇ ଖୁସିକୁ ଦ୍ୱିଗୁଣିତ କରିଦେବା ଯେମିତି ଏହି ପର୍ବର ମହତ ଉଦ୍ଦେଶ୍ୟ । ଓଡ଼ିଆ କୁଆଁରୀ ଝିଅମାନେ ଆଜି ବେଶ୍ ଉତ୍ସାହିତ ଏହି ପାରମ୍ପରିକ ରଜ ଉତ୍ସବକୁ ନେଇ । ସବୁ କାମଦାମ ଛାଡ଼ି ଆଜି ନିଜକୁ ବେଶ୍ ସଜେଇହେବେ ଝିଅମାନେ । ଆମ ଓଡ଼ିଆ ସଂସ୍କୃତିରେ ବର୍ଷାଆରମ୍ଭ କାଳରେ ରଜ ହେଉଥିବାରୁ ଲାଗେ ଯେପରି ଅଗଣିତ ଚାଷୀକୂଳ ତାଙ୍କ ଚାଷକାମ ପାଇଁ ବର୍ଷାକୁ ଏହି ପର୍ବ ମାଧ୍ୟମରେ ସ୍ୱାଗତ କରୁଛନ୍ତି!

ହାତରେ ମେହେନ୍ଦୀ, ମଥାରେ କୁଙ୍କୁମ ସାଙ୍ଗକୁ ପାଦରେ ନାଲି ଅଳତା ଲଗାଇ ଝିଅମାନେ ଖେଳିବେ ରଜଦୋଳି । ନାରୀ ଜାତି ଶକ୍ତିର ଉତ୍ସ, ସୌନ୍ଦର୍ଯ୍ୟ ଓ ଧୈର୍ଯ୍ୟର ପ୍ରତୀକ ନାରୀ । କୁମାରୀ ଝିଅଙ୍କ ସମେତ ସମସ୍ତ ନାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ଏହି ରଜପର୍ବଟି ଯେପରି ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ । କୁଆରୀ ମାନଙ୍କ ମନଖୋଲା ହସରେ ସାରା ପ୍ରକୃତି ଯେମିତି ଖିଲ୍ଖିଲ୍ ହସିଉଠିଥାଏ । ରଜପର୍ବଟିକୁ ମଧ୍ୟ କୁହାଯାଇଥାଏ ବିଶ୍ରାମ ଓ ଆନନ୍ଦ ଉତ୍ସବ ପାଳିବାର ପର୍ବ । ଝିଅମାନଙ୍କୁ ସମ୍ମାନ ଦେବାର ପର୍ବ । ରଜସ୍ୱାଳା ଯୁବତୀଙ୍କୁ ଯେପରି ବିଭିନ୍ନ କାର୍ଯ୍ୟରୁ ଶରୀରକୁ ବିଶ୍ରାମ ଦିଆଯାଇଥାଏ ସେହିପରି ରଜସ୍ୱାଳା ବସୁଦା ମାଆକୁ ଏହି ଦିନ ବିଶ୍ରାମ ଦିଆଯାଇଥାଏ । ନାରୀମାନେ ଯେପରି ତିନିଦିନ ଶରୀରକୁ ବିଶ୍ରାମ ଦେଇ ଭୁଇଁରେ ଚାଲନ୍ତି ନାହିଁ, ସେହିପରି ଏହି ରଜପର୍ବରେ ସମସ୍ତ ନାରୀ ଜାତିକୁ ସମ୍ମାନ ଜଣାଇ ଝିଅ, ଯୁବତୀ, ବାଳିକା ତଥା ମହିଳାମାନଙ୍କୁ ଏହି ପର୍ବରେ ସମସ୍ତେ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ବସୁମାତାଙ୍କୁ ସ୍ନାନ କରାଯାଇଥାଏ ରଜରେ ।

ତିନିଦିନର ରଜରେ ପିଠାପଣା, ପାନ, ଭୋଜିଭାତ ସାଙ୍ଗକୁ ଗାଁ’ଦାଣ୍ଡରେ ରଜଦୋଳିରେ ମଉଜ କରିଥାନ୍ତି ଓଡ଼ିଆ ଝିଅମାନେ । ପୁରୁଷମାନେ ନାରୀମାନଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କୁ ସହଯୋଗ କରି ଖୁସିକୁ ଦ୍ୱିଗୁଣିତ କରୁଥିବା ଦେଖାଯାଏ । ଗାଁ’ଦାଣ୍ଡରେ କବାଡ଼ି ସାଙ୍ଗକୁ ପଡ଼ିଶା ପିଣ୍ଡାରେ ଲୁଡୁ ଓ ତାସ୍ ଖେଳ ବେଶ୍ ଜମୁଥାଏ । ଆବାଳ ବୃଦ୍ଧବନିତା ରଜପାନରେ ପାଟି ଲାଲ୍ କରି ରଜଦୋଳିର ମଜ୍ଜା ନିଅନ୍ତି । ତିନିଦିନରେ ରଜପର୍ବ ପାଳିତ ହେବା ସହିତ ପରସ୍ପର ସହିତ ସୌହାର୍ଦ୍ଦ୍ୟ ଓ ଆନନ୍ଦ ବାଣ୍ଟିଥାଆନ୍ତି ଓଡ଼ିଆମାନେ ।

ଏହି ରଜପର୍ବରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହୋଇଥାଏ । ରଙ୍ଗବେରଙ୍ଗର ମୁରୁଜ, ଝୋଟି ସାଙ୍ଗକୁ ପୁଚିଖେଳ ଓ ପିଠାପଣା ପ୍ରତିଯୋଗିତାରେ ସମସ୍ତେ ଭାଗ ନିଅନ୍ତି । ବିଭିନ୍ନ ପନିପରିବା ସାଙ୍ଗକୁ ଫଳ ଓ ମିଠାଭାରରେ ଭରିଯାଏ ଘର ଦୂଆର । ଏହି ମହାନ ଓଡ଼ିଆ ପରମ୍ପରାକୁ ଗତ କିଛିବର୍ଷ ହେଲା ପ୍ରବାସୀ ଓଡ଼ିଆମାନେ ଦେଶବିଦେଶ ତଥା ଓଡ଼ିଶା ବାହାର ରାଜ୍ୟରେ ବେଶ୍ ଆଡ଼ମ୍ବର ସହକାରେ ପାଳନ କରୁଥିବାର ଦେଖାଯାଏ ।

Leave A Reply

Your email address will not be published.