Latest Odisha News

BREAKING NEWS

ଅପରେସନ ସିନ୍ଧୁ: ଇରାନରୁ ଫେରିବେ ୧୧୦ ଭାରତୀୟ ଛାତ୍ରଛାତ୍ରୀ 

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଇରାନରୁ ଉଦ୍ଧାର କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ବାହାର କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୯୦ ଜଣ କାଶ୍ମୀରର ଛାତ୍ର ଥିବା ଜଣାପଡ଼ିଛି। ଛାତ୍ର ମାନଙ୍କୁ ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଅଣାଯାଉଛି। ସେମାନେ କାଲି ସକାଳୁ ପହଞ୍ଚିବା ନେଇ ଆଶା କରାଯାଉଛି। ତେବେ ଛାତ୍ରମାନେ ଆର୍ମେନିଆରୁ ଦୋହା ଦେଇ ଦିଲ୍ଲୀରେ ପହଞ୍ଚିବେ। ଏହି ସମସ୍ତ ଛାତ୍ର ଉର୍ମିଆ ମେଡିକାଲ୍ ୟୁନିଭରସିଟି (ଇରାନ)ରେ ପଢ଼ୁଥିବା ସୂତ୍ରରୁ ଜଣାପଡ଼ିଛି।

ଛାତ୍ରମାନେ ମଙ୍ଗଳବାର ଦିନ ଇରାନ-ଆର୍ମେନିଆ ସୀମା ପାର କରି ଆର୍ମେନିଆର ରାଜଧାନୀ ୟେରେଭାନରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ହୋଟେଲରେ ରହିଥିଲେ। ଭାରତ ସରକାର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ  ଯଥାସମ୍ଭବ ଚେଷ୍ଟା କରିବା ସହ ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି।

ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ଟିକେଟ୍ ଯୋଗାଇ ଦେବା ସହ  କାଶ୍ମୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଲ୍ଲୀରୁ ଶ୍ରୀନଗର ପାଇଁ ମଧ୍ୟ ମାଗଣାରେ ଟିକେଟ୍ ଯୋଗାଇ ଦେଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଜମ୍ମୁ ଏବଂ କାଶ୍ମୀର ଛାତ୍ର ସଂଘ ଏହି ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ଉପରେ ନିରନ୍ତର ନଜର ରଖିବା ସହ  ସମ୍ପୃକ୍ତ ଅଧିକାରୀ ସହ ମଧ୍ୟ ଯୋଗାଯୋଗରେ ରହିଛି। ଇରାନରେ ଫସି ରହିଥିବା ଛାତ୍ରମାନେ ଏବଂ ଛାତ୍ର ସଂଘ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କୁ ଏହି ଉଦ୍ଧାର କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ତେବେ ବାକି ଛାତ୍ରମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବା ନେଇ ଆଶା ରଖାଯାଇଛି।

 

Comments are closed.