Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ କରି ଯୁବକ ଗିରଫ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ । ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ହେଲେ ରାୟଗଡ଼ା ଚାନ୍ଦିଲିର କିଶୋର କୌଶଲ୍ୟା । ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ସେୟାର କରିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଭଳି AI ଭିଡିଓ କରି ଥିବାରୁ ଗିରଫ ହେଲେ ।

କ୍ରାଇମ ବ୍ରାଞ୍ଚର ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଛବିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ AI ଦ୍ୱାରା ତିଆରି ଏବଂ ମର୍ଫଡ଼ କରାଯାଇଥିବା ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଳୀଳ ଭାବେ ଦେଖାଯାଇଥିଲା । ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ହେବାପରେ ସାଇବର କ୍ରାଇମ ବ୍ରାଞ୍ଚ ତୁରନ୍ତ ଅନୁସନ୍ଧାନ ଆରମ୍ଭ କରି ଅନୁସନ୍ଧାନ ରିପୋର୍ଟ ଆଧାରରେ ଏଫଆଇଆର୍ ରୁଜୁ କରିଥିଲା ।

ଅଭିଯୁକ୍ତ କିଶୋର କୌଶଲ୍ୟାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ସଂଖ୍ୟା ୭୮, ୭୯, ୨୯୪, ୨୯୬, ୩୩୬(୨), ୩୩୬(୪), ୩୪୦(୨) ଓ ୩୫୬(୨) ଧାରା, ଆଇଟି ଆକ୍ଟ ୨୦୦୦ର ସଂଖ୍ୟା ୬୬-C, ୬୭ ଓ ୬୭-A ଧାରା, ଏବଂ ୧୯୮୬ର ଅଶ୍ଳୀଳ ମହିଳା ପ୍ରତିନିଧିତ୍ୱ (ନିଷେଧ) ଆଇନର ସଂଖ୍ୟା ୩ ଧାରା ଅଧୀନରେ ଅଭିଯୋଗ ରହିଛି । ତାଙ୍କୁ ଭୁବନେଶ୍ୱରର ଏସଡିଜେଏମ ମହଲାରେ ଉପସ୍ଥାପିତ କରାଯାଇଛି, ବୋଲି କ୍ରାଇମବ୍ରାଞ୍ଚ ଜଣାଇଛି ।

ପୋଲିସର ଆବେଦନ ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଏହି ଭିଡିଓକୁ ପରେ କାଢ଼ି ନିଆଯାଇଛି । ଏହା ସହ ଏହିପରି ଅବୈଧ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମ ବ୍ରାଞ୍ଚ ଚେତାବନୀ ଦେଇଛି ।

Comments are closed.