Latest Odisha News

BREAKING NEWS

‘ନାବାଳିକା ଯୌନ ନିର୍ଯ୍ୟାତନା’ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ବିରୋଧୀଦଳର ସଭ୍ୟମାନେ ‘ଯୌନ ନିର୍ଯ୍ୟାତନା’ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ରାଜ୍ୟର ଏକ ଶିଶୁ ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ପ୍ରସଙ୍ଗ ତଥା ଅନୁଗୁଳରେ ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ଗୃହକୁ ମୂଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ଏହି ପ୍ରସଙ୍ଗ ଗୃହର ଶୂନ୍ୟକାଳରେ ଉତ୍ଥାପିତ ହୋଇଥିଲା । ଏହି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା । ବଲାଙ୍ଗୀର ଜିଲ୍ଲାରେ ପ୍ରୟାସ ନାମକ ଏକ ସଂସ୍ଥା ପକ୍ଷରୁ ଏଚଆଇଭି ଆକ୍ରାନ୍ତ ଥିବା ଶିଶୁମାନଙ୍କୁ ନେଇ ଏକ ଆଶ୍ରୟ ଗୃହ ଚଳାଯାଉଥିଲା । ଏହି ଆଶ୍ରୟ ଗୃହକୁ ଭବାନୀପାଟଣାର ଭିଜନ୍ ନାମକ ଏକ ଏନଜିଓ ସଂସ୍ଥା ପରିଚାଳନା କରୁଥିଲା । ମାତ୍ର ଏହି ସଂସ୍ଥାର ନିର୍ଦ୍ଦେଶକ ନାବାଳିକା ଝିଅ ମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଥିଲା । ଏହି ଦୁଇଜଣ ବରିଷ୍ଠ ନେତା ଭିଜନ୍ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଏହି ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅନୁଗୁଳରେ ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣା ପ୍ରସଙ୍ଗ ଉଠାଇଥିଲେ ।

ନିଖୋଜ ରହିଥିବା ଶିଶୁଙ୍କ ପ୍ରସଙ୍ଗରେ ଶ୍ରୀ ନାଏକ ଜାଣିବାକୁ ଚାହିଁଥିଲେ, ଏହି ର‌୍ୟାକେଟ୍ ପଛରେ କାହାର ହାତ ରହିଛି । ନିଖୋଜ ରହିଥିବା ଶିଶୁମାନଙ୍କୁ ଠାବ କରିବା ସହିତ ସରକାର ଏହି ଘଟଣାରେ ସ୍ପଷ୍ଟିକରଣ ଦେବା ଜରୁରୀ, କାରଣ ଏହି ଶିଶୁମାନଙ୍କୁ ଅପହରଣ କରିନିଆଯାଇ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟେଙ୍ଗ ଗୁଡ଼ିକୁ କାଢି ନିଆ ଯାଉଥାଇ ପାରେ । ଏହି ଶିଶୁମାନଙ୍କୁ ମଧ୍ୟ ଦେହ ବ୍ୟବସାୟରେ ସଂଶ୍ଳିଷ୍ଟ କରାଯାଉଛି ।

ଏହି ଘଟଣା ସମ୍ପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ଚେୟାର ନିକଟରେ ହଟ୍ଟଗୋଳ କରିଥିବାର ଦେଖାଯାଇଥିଲା ।

ବାଚସ୍ପତି ଗୃହକାର୍ଯ୍ୟରେ ବାଧା ଉପୁଜିଥିବାରୁ ଗୃହକୁ ମୂଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.