Pitabas Panda Murder Case:ପୀତବାସ ପଣ୍ଡା ହତ୍ୟା ମାମଲା;ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ
କଟକ:ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଥିଲା।
ପୂର୍ବରୁ ଜିଲ୍ଲା କୋର୍ଟରେ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ ହୋଇଥିଲା । ଏହାପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ ସର୍ତ୍ତଗୁଡ଼ିକ ପାଳନ କରିବାକୁ ହେବ । ତେବେ ମାମଲାର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ନିଜ ଗତିରେ ଜାରି ରହିବ ।
ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇଥିଲା । ୩୯୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ବ୍ରହ୍ମପୁର ପୋଲିସ।
ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ତଦନ୍ତ ପରେ ବିକ୍ରମ ପଣ୍ଡାଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରାଯାଇଥିଲା ।ଏହି ଘଟଣା ଚାରିଆଡେ ହଇଚଇ ସୃଷ୍ଟି କରିଥିଲା । ହତ୍ୟାକାଣ୍ଡ ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିବା ଏସପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଥିଲେ।
ଗତବର୍ଷ ଅକ୍ଟୋବର ୨୨ ତାରିଖରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଏବେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ପୀତବାସ ପଣ୍ଡା ହତ୍ୟା ମାମଲାର ଆଗାମୀ ଗତିକୁ ନେଇ ଚର୍ଚ୍ଚା ବଢିଛି ।

