Latest Odisha News

BREAKING NEWS

ପାକିସ୍ତାନୀଙ୍କୁ ଆମେରିକା ମନା !

ନୂଆଦିଲ୍ଲୀ : ପାକିସ୍ତାନର ନିଦ ହଜାଇବାକୁ ପ୍ରସ୍ତୁତି କରୁଛି ଆମେରିକା। ପାକିସ୍ତାନ ସମେତ ୪୧ ଟି ଦେଶ ଉପରେ ବଡ଼ ଆକ୍ସନ ନେବାକୁ ବିଚାର କରୁଛନ୍ତି ଟ୍ରମ୍ପ ସରକାର। ଏସବୁ ଦେଶ ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନ ଓ ଭୁଟାନ ଭଳି ଦେଶ ରହିିଛି। ଡ୍ରାଫ୍ଟରେ ମୋହର ଲାଗିଲେ ଏସବୁ ଦେଶର ନାଗରିକ ଆମେରିକାରେ ଏଣ୍ଟ୍ରି ଉପରେ ବ୍ୟାପକ କଟକଣା ଲାଗିବ। ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରଥମ କାର୍ଯ୍ୟକାଳରେ ୭ ଟି ମୁସଲିମ ବହୁଳ ଦେଶର ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ସାମୟିକ ଭାବେ ଭିସା ବରଖାସ୍ତ!
ଆମେରିକାର ସୁରକ୍ଷା ଅଧିକାରୀ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ପାକିସ୍ତାନ ସହ ୨୬ ଟି ଦେଶ ରହିଛି। ଏସବୁ ଦେଶଗୁଡିକୁ ସାମୟିକ ଭାବେ ଭିସା ବରଖାସ୍ତର ସାମନା କରିବାକୁ ପଡିପାରେ। ତେବେ ଶହବାଜ ସରିଫଙ୍କ ନେତୃତ୍ବାଧୀନ ପାକିସ୍ତାନ ସରକାର ୬୦ ଦିନ ଭିତରେ ନିଜ ଆଭିମୁଖ୍ୟ ସୁଧାରିବା ସହ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଲେ କାର୍ଯ୍ୟାନୁଷ୍ଠାନରୁ ଦେଶ ରକ୍ଷା ପାଇପାରିବ। ଆକ୍ସନ ନିଆଯିବାକୁ ଥିବା ଦେଶ ଗୁଡିକ ମଧ୍ୟରେ ରହିଛନ୍ତି ତୁର୍କମେନିସ୍ତାନ, ବେଲାରୁସ, ଭୁଟାନ ଓ ବାନୁଅଟୁ ପରି ଦେଶ। ନିକଟରେ ପଳାତକ ତଥା ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦିଙ୍କ ନାଗରିକତାକୁ ନେଇ ଚର୍ଚ୍ଚାରେ ରହିଥିଲା ବାନୁଅଟୁ।

ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ମିଳିନଥିଲା ଏଣ୍ଟ୍ରି
ତୁର୍କମେନିସ୍ତାନରେ ନିୟୋଜିତ ପାକିସ୍ତାନୀ ରାଷ୍ଟ୍ରଦୂତ କେକେ ଏହସାନ ବାଗନଙ୍କୁ ନିକଟରେ ଆମେରିକାରେ ଏଣ୍ଟ୍ରି ମିଳିନଥିଲା। ତାଙ୍କୁ ଲସ ଆଞ୍ଜେଲସରୁ ଫେରାଇ ଦିଆଯାଇଥିଲା। ଏଥିପାଇଁ ଆମେରିକା ସେଭଳି କୌଣସି କାରଣ ଦର୍ଶାଇନଥିଲା। ତେବେ ଆମେରିକା ଇମିଗ୍ରେସନ୍ ସିଷ୍ଟମରେ ବିବାଦୀୟ ଭିସା ନେଇ ସୂଚନା ମିଳିଥିବା ଜଣାପଡିଛି।

ଏସବୁ ଦେଶରେ ହେବ ଭିସା ବରଖାସ୍ତ
ଡ୍ରାଫ୍ଟ ତାଲିକାରେ ୪୧ ଟି ଦେଶକୁ ୩ ଟି ଶ୍ରେଣୀରେ ଭାଗ କରାଯାଇଛି। ଏଥିରେ ୧୦ ଟି ଦେଶକୁ ରେଡ୍ ଲିଷ୍ଟରେ ରଖାଯାଇଛି। ଏସବୁ ଦେଶର ନାଗରିକଙ୍କ ଭିସା ସଂପୂର୍ଣ୍ଣ ଭାବେ ବରଖାସ୍ତ କରାଯିବ। ଏଥିରେ ଆଫଗାନିସ୍ତାନ, କ୍ୟୁବା, ଇରାନ, ଲିବିୟା, ଉତ୍ତର କୋରିଆ, ସୋମାଲିଆ ପରି ଦେଶ ରହିଛନ୍ତି। ଦ୍ବିତୀୟ ଶ୍ରେଣୀରେ ଇରିଟ୍ରିଆ, ହୈତି, ଲାଓସ, ମିଆଁମାର ଓ ଦକ୍ଷିଣ ସୁଦାନ ରହିଛି। ଏହି ୫ ଟି ଦେଶ ଉପରେ କିଛି ସର୍ତ୍ତ ସହ ପ୍ରତିବନ୍ଧକ ଲଗାଯିବ। ଫଳରେ ଏସବୁ ଦେଶରେ ଛାତ୍ର, ପର୍ଯ୍ୟଟକ ଭିସା ସହ ଅନ୍ୟ ଭିସା ମଧ୍ୟ ପ୍ରଭାବିତ ହେବ। ତୃତୀୟ ଶ୍ରେଣୀରେ ପାକିସ୍ତାନ ସହ ୨୬ ଟି ଦେଶ ରହିଛି।

ଗତ ଜାନୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିବା ପରଠୁ ଆମେରିକାରେ ଏଣ୍ଟ୍ରି କରୁଥିବା ବିଦେଶୀ ନାଗରିକଙ୍କ ବ୍ୟାପକ ଯାଞ୍ଚ ଉପରେ ଜୋର ଦେଉଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ତାଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ୭ ଟି ମୁସଲିମ ବହୁଳ ଦେଶର ନାଗରିକଙ୍କ ଉପରେ କଟକଣା ଲଗାଇଥିଲେ ଟ୍ରମ୍ପ। ଦ୍ବିତୀୟ କାର୍ଯ୍ୟକାଳରେ କଟକଣାକୁ ଟ୍ରମ୍ପ ଆହୁରି ବ୍ୟାପକ କରିବାକୁ ଯାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.