Latest Odisha News

BREAKING NEWS

ଧର୍ମପଦ କାହାଣୀରେ କାହାକୁ ନିଶାନା?

ଭୁବନେଶ୍ବର: ଗତ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଖରାପ ସମୟ ଦେଇ ଗତି କରୁଛି ବିଜେଡି। ବର୍ଷ ବର୍ଷ ଧରି ଚୁପ୍ ରହିିଥିବା ଦଳର ବରିଷ୍ଠ ନେତା ଏବେ ରାଜନୈତିକ ବୟାନ ଦେବାକୁ ପଛାଉ ନାହାନ୍ତି। କେନ୍ଦୁଝର ଖଣି ଦୁର୍ନୀତିକୁ ନେଇ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପୂର୍ବରୁ ରିପୋର୍ଟ ଦେଇଥିବା କହିଥିଲେ। ଏବେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଇସାରା ଇସାରାରେ ଦଳକୁ ନେଇ ବଡ ବୟାନ ଦେଇଛନ୍ତି। ପରୋକ୍ଷରେ ଦଳର ଆଗଧାଡିର ନେତାଙ୍କୁ ଟାର୍ଗେଟ୍ କରିଛନ୍ତି।

ବାରଶ ବଢେଇରେ ଦାୟ ନା ପୁଅର ଦାୟ?
ହୋଲିରେ ବିଜେଡି ବିପର୍ଯ୍ୟୟ ନେଇ ଅଶୋକ ପଣ୍ଡାଙ୍କ ଧର୍ମପଦ ଉପାଖ୍ୟାନକୁ ନେଇ ଚର୍ଚ୍ଚା ବଢିଛି। କହିଛନ୍ତି, ଆଗଧାଡି଼ର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର। ନବୀନଙ୍କୁ ଶକ୍ତିଶାଳୀ କରିବାକୁ ଆଗଧାଡ଼ିର ନେତା ଦୂରେଇ ରହିଲେ ଭଲ ହେବ ବୋଲି ଅଶୋକ ପଣ୍ଡା କହିଛନ୍ତି। କେହି ଅସନ୍ତୁଷ୍ଟ ରହିଥିଲେ ନିଜକୁ ଦାୟିତ୍ବରୁ ଓହରାଇ ନେଇ ଅନ୍ୟକୁ ସୁଯୋଗ ଦେବା ଦରକାର। ଦଳ ଭିତରେ ମନାନ୍ତର ଓ ମତାନ୍ତରକୁ ଭୁଲି ଏକାଠି ହେଲେ ହିଁ ଦଳ ସୁଦୃଢ ହେବ। ଏନେଇ ସେ ପୂର୍ବରୁ ପ୍ରସ୍ତାବ ଦେଇଥିବା ବି କହିଛନ୍ତି।

କାହାକୁ ଇସାରା କରୁଛନ୍ତି ଅଶୋକ ପଣ୍ଡା?
ଧର୍ମପଦ ଉପାଖ୍ୟାନ କହି କାହା ଆଡକୁ ଇସାରା କରୁଛନ୍ତି ଅଶୋକ ପଣ୍ଡା, ସେନେଇ ଚର୍ଚ୍ଚା ବଢିଛି। ତେବେ ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି। ବିଜେଡି ଏବେ କଠିନ ସମୟ ଦେଇ ଗତି କରୁଛି। ଏଭଳି ସମୟରେ ଦଳକୁ ଆଗେଇ ନେବାକୁ ଉଭୟ ଅଭିଜ୍ଞ ଓ ଯୁବ ନେତୃତ୍ବ ଆବଶ୍ୟକ। ସବୁ ବର୍ଗର ନେତାଙ୍କ ମଧ୍ୟରେ ସମନ୍ବୟ ଆବଶ୍ୟକ ରହିଥିବା ସେ କହିଛନ୍ତି।

ବଦ୍ରି ଦେଇଥିଲେ ବିବାଦୀୟ ବୟାନ
ଖଣି ଦୁର୍ନୀତି ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ତତ୍କାଳୀନ ଜିଲ୍ଲାପାଳ ଓ ଏସପି ପୂର୍ଣ୍ଣ ସହଯୋଗ କରିଥିଲେ। ଏପରିକି ଦୁର୍ନୀତି ନେଇ ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନଙ୍କୁ ଜଣାଇଥିବା କହିଥିଲେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର। କେନ୍ଦୁଝରରେ ଖଣି ଦୁର୍ନୀତି ଖୋଲାଖୋଲି ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନରେ ଚାଲିଥିବା ସେ କହିଥିଲେ। ଏହାପରେ ସବୁ ଜାଣି କାହିଁକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆକ୍ସନ ନେଇନଥିଲେ ବୋଲି ପ୍ରଶ୍ନ ଉଠିଥିଲା।

ବଦ୍ରି ପାତ୍ର ହୁଅନ୍ତୁ କି ଅଶୋକ ପଣ୍ଡା, କେଉଁଠି ନା କେଉଁଠି ବିଜେଡି ଭିତରେ ଅସନ୍ତୋଷ କୁହୁଳୁଛି। ଦଳର କେଉଁ ଆଗଧାଡିର ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି ଅଶୋକ? ସେନେଇ ଜଣା ପଡିନଥିଲେ ବି ବିଜେଡି ଭିତରେ ଯେ ସବୁ କିଛି ଠିକ୍ ନାହିଁ, ସେକଥା ସ୍ପଷ୍ଟ ହୋଇଛି।

 

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.