Latest Odisha News

BREAKING NEWS

ପବିତ୍ର ପଣା ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ବତନ୍ତ୍ର ନୀତି କାନ୍ତି

ପୁରୀ: ଆଜି ମହାବିଷୁବ ତଥା ପଣା ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମହାବୀରଙ୍କ ସମେତ ଅନ୍ୟ ସମସ୍ତ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।

ଆଜି ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ପଟେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇଛି । ପରେ ବିମାନରେ ଶ୍ରୀ ହନୁମାନଙ୍କୁ ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ସହ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଗଲା ।

ଏହି ଅବସରରେ ଶ୍ରୀମନ୍ଦିରର ଦକ୍ଷିଣ ଦ୍ବାରରେ ଥିବା ମହାବୀର ନାଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଆଜି ପରମ୍ପରା ଅନୁଯାୟୀ ପୁରୀର ବିଭିନ୍ନ ଜାଗା ଆଖଡାରେ ମହାବୀରଙ୍କ ପୂଜର୍ଚ୍ଚନା କରାଯାଇ ପଣା ଓ ଛତୁଆ ଭୋଗ ଲାଗି କରାଯାଇଛି ।

ପଣା ସଂକ୍ରାନ୍ତି ଅବସରରେ ଆଜି ଓଡ଼ିଶାର ଘରେ ଘରେ ପଣା ଛତୁଆ ଭୋଗ ହେବା ସହ ବୃନ୍ଦାବତୀଙ୍କ ପାଖରେ ପାଣି ଓ ପଣା ଘଡି ବନ୍ଧାଯାଏ । ଦହି, କଦଳୀ, ଛେନା, ନଡ଼ିଆରେ ପ୍ରସ୍ତୁତ ପଣା ତୁଳସୀ ଚଉରା ପାଖରେ ଭୋଗ ଲାଗି କରାଯାଏ ।

ଆଜିର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ଥାନ୍ତି । ସେହିପରି ଓଡ଼ିଆ ପରମ୍ପରା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ ଏବଂ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ ।

Leave A Reply

Your email address will not be published.