Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲାର ବିକାଶ ଦୁଇ ଗୁଣା ହେବ’

ରାଉରକେଲା: ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲାରେ ରୂପାନ୍ତର ଆସିଛି । ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ ସୁନ୍ଦରଗଡ଼ର ଗୌରବ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଉରକେଲାରେ ଏକ ନିର୍ବାଚନୀ ସଭାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ଏହା କହିଥିଲେ ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ନବୀନ ବାବୁ ଆପଣମାନଙ୍କ ପାଇଁ ନୂଆ ରାଉରକେଲା, ନୂଆ ରଘୁନାଥପାଲ୍ଲୀ ଗଠନ କରିବେ । ବିଜେପିକୁ ଆଟାକ କରି ପାଣ୍ଡିଆନ କହିଲେ ଯେ, ତାଙ୍କ ନେତାଙ୍କୁ ପଚାରନ୍ତୁ ଯେ ପେଟ୍ରୋଲ, ଡିଜେଲ ଦର କମିଲା କି? ରାଉରକେଲାରେ ସୁପର ସ୍ପେଶାଲିଟି ହସ୍‍ପିଟାଲ ହେଲା କି? କିଛି ହେଲା ନାହିଁ । ମୁଖ୍ୟମନ୍ତ୍ରୀ ଯାହା କହିଥାନ୍ତି ତାକୁ କାମରେ କରି ଦେଖାଇଥାନ୍ତି । ତା’ର ଉଦାହରଣ ଜିଲ୍ଲା ସଦର ମହକୁମା ଡାକ୍ତର ଖାନା ଏବଂ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ।

ସେ ପୁଣି କହିଥିଲେ ଯେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼ କରିବେ, ବିଜୁଳି ବିଲ୍‍ ଛାଡ଼ ଯୋଗୁଁ ୯୦ ପ୍ରତିଶତ ପରିବାର ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତରେ ବିଏସ୍‍କେୱାଇ କାର୍ଡ ନଥିବା ଲୋକ କାର୍ଡ ପାଇବେ । ବିଏସ୍‍କେୱାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ ।

ସେ ପୁଣି କହିଥିଲେ ଯେ, ଆପଣମାନେ ଜଣକୁ ୨୦ ବର୍ଷ ହେଲା ସଂସଦକୁ ପଠାଉଛନ୍ତି । ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି ? କିନ୍ତୁ ନବୀନ ବାବୁ ଆପଣଙ୍କ ପାଇଁ ବହୁତ କିଛି କରିଛନ୍ତି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ପଡ଼ିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସ୍ୱାସ୍ଥ୍ୟ ସେବା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା ସବୁ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲା, ସୁନ୍ଦରଗଡ଼ର ବିକାଶ ପାଇଁ ଯାହା ବି କାମ ହୋଇଛି, ତା ଦୁଇ ଗୁଣ ବେଗ ରେ ଚାଲିବ ।

Leave A Reply

Your email address will not be published.