Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପାରାଦୀପରେ କୂଳ ଲଂଘୁଛି ସମୁଦ୍ର, ଆଶଙ୍କାରେ ନେହେରୁ ବଙ୍ଗଳା ବାସିନ୍ଦା

ପାରାଦୀପ: କୂଳ ଲଂଘୁଛି ସମୁଦ୍ର । ଜନବସତି ଆଡ଼କୁ ମାଡ଼ି ଆସୁଛି ଜୁଆର । ମହାନଦୀ ମୁହାଣ ନିକଟରେ ସ୍ଥଳଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସୁଛି । ପାଖାପାଖି ୧୦୦ ମିଟର ମାଡ଼ି ଆସିଲାଣି ସମୁଦ୍ର ପାଣି । ସମୁଦ୍ର ପାଣି ଏବେ ନେହେରୁବଙ୍ଗଳା କ୍ୟାଣ୍ଟିନ ଡେଇଁ ମନ୍ମଥ ଉଦ୍ୟାନ ଭିତରେ ପଶିବା ଆରମ୍ଭ କରିଛି । ଏପରିକି ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା କ୍ୟାଣ୍ଟିନ ଘର ନିକଟରୁ ବାଲି ଓ ଇଟା ଖାଇଲାଣି । ଯାହାକୁ ନେଇ ଭୟଭୀତ ନେହେରୁବଙ୍ଗଳା ବାସିନ୍ଦା ।

ଜୱାଦ ବାତ୍ୟା ସମୟରେ ପାରାଦୀପର କଳିଙ୍ଗ ବାଲିଯାତ୍ରା ପଡ଼ିଆ ନିକଟରେ ସମୁଦ୍ର ପାଖାପାଖି ୨୫ ମିଟର ମାଡ଼ି ଆସିଥିଲା । ଉକ୍ତ ବାତ୍ୟା ପରଠାରୁ ମହାନଦୀ ମୁହାଣ ନିକଟରୁ ଧିରେ ଧିରେ କୂଳ ଲଂଘୁଛି ସମୁଦ୍ର । ଯେଉଁଠାରେ ପର୍ଯ୍ୟଟକ ବୋଟିଂର ମଜା ଉଠାଉଥିଲେ ଏବେ ସେଠି ସମୁଦ୍ରର ଉଚ୍ଚ ଢେଉ ମାଡ଼ ହେଉଛି । ପ୍ରତ୍ୟେକ ପୂର୍ଣ୍ଣିମା ପକ୍ଷରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥାଏ, ମାତ୍ର ଗତ ତିନିଦିନ ହେଲା ଏହା ଜନ ବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

ମୁହାଣ ନିକଟରେ ଥିବା ବାଲୁକାରାଶି ଏବେ ସମ୍ପୂର୍ଣ୍ଣ ଧୋଇ ଗଲାଣି । ପାରାଦୀପ ସୁନାମି ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପ୍ରତି ବର୍ଷ ବାତ୍ୟା ଭୟ ମଧ୍ୟ ରହିଛି । ମାତ୍ର ଏବେ ସମୁଦ୍ର ପାଣି ଯେଉଁଭଳି ମାଡ଼ୁଛି, କେତବେଳେ ବି ଜନବସତି ଭିତରେ ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।

ଧିରେ ଧିରେ ସମୁଦ୍ର ଜନବସତି ମୁହାଁ ହେଉଥିବା ବେଳେ ଗତ ବର୍ଷକ ମଧ୍ୟରେ ପାଖାପାଖି ୫୦ ମିଟରରୁ ଅଧିକ ମାଡ଼ି ଆସିଲାଣି । ଯାହାକୁ ନେଇ ଆଶା ଆଶଙ୍କାରେ ନେହେରୁ ବଙ୍ଗଳା ବସ୍ତି ବାସିନ୍ଦା । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.