Latest Odisha News

BREAKING NEWS

ଇମାମୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଇମାମି-କିସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍‍ଘାଟନ କରିବେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଇମାମି ଗ୍ରୁପ୍‍ର ପ୍ରତିଷ୍ଠାତା ତଥା ଯୁଗ୍ମ ଅଧ୍ୟକ୍ଷ ଆର୍‍. ଏସ୍‍. ଅଗ୍ରୱାଲ୍‍ ଏବଂ ଇମାମି ଗ୍ରୁପ୍‍ର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ଅଧ୍ୟକ୍ଷ ଆର. ଏସ୍‍. ଗୋଏଙ୍କା ପ୍ରମୁଖ ଯୋଗଦେବେ ।

ଏହି ବିଦ୍ୟାଳୟ ପାଇଁ ଜମି କ୍ରୟ ଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍‍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ୧ଲକ୍ଷ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ଏଥିରୁ ଇମାମି ଗ୍ରୁପ୍‍ ୧୪ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ବାକି ୩୬ କୋଟି ଟଙ୍କା କିଟ୍‍ ଖର୍ଚ୍ଚ କରିଛି । 

ପୂର୍ବରୁ ଓଡ଼ିଶାର ବଲାଙ୍ଗୀର ଓ ମୟୂରଭଞ୍ଜରେ କିସ୍‍ର ଶାଖା ଖୋଲାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି।

ଇମାମି-କିସ୍‍ ଆବାସିକ ବିଦ୍ୟାଳୟରେ ସିବିଏସ୍‍ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨ଶହ କେବଳ ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ ।

ପାଠ ପଢ଼ା ବ୍ୟତୀତ ଏଠାରେ  ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି ।

ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ୍‍ କିମ୍ବା କିଟ୍‍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ ।

ଭୁବନେଶ୍ୱର କିସ୍‍ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନାଦେୟରେ ଗରିବ ପିଲାମାନେ ପାଠ ପଢ଼ିପାରିବେ । ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.