Latest Odisha News

ଇଞ୍ଜିନିୟର ଉଠବସ୍ ଘଟଣା: ପଟଣାଗଡ଼ ବିଧାୟକଙ୍କୁ ମିଳିଲା ଜାମିନ

ପାଟଣାଗଡ଼: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ । ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଉଠବସ କରାଇବା ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ସରୋଜ । ବିଧାୟକଙ୍କୁ ଶନିବାର ଦିନ ଭୁବନେଶ୍ଵରର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ୨ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କାର ବିନିମୟରେ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଜାମିନ ଦେବା ସମୟରେ କୋର୍ଟ କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି। କୋର୍ଟର ସର୍ତ୍ତ ଅନୁଯାୟୀ ବିଧାୟକ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ତଦନ୍ତରେ ସହଯୋଗ କରିବେ ଏବଂ ବିଦେଶ ଯାତ୍ରା କରିବାର ଥିଲେ ଏହା ପୂର୍ବରୁ କୋର୍ଟକୁ ଅବଗତ କରାଇବେ ।

ସୂଚନାଯୋଗ୍ୟ ଯେ ନିମ୍ନମାନର ରାସ୍ତା କାମ ଯୋଗୁ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ବିଧାୟକ ସରୋଜ ମେହେର ସର୍ବସମ୍ମୁଖରେ ଉଠବସ୍ କରାଇଥିଲେ । ଏହାର ଏକ ଭିଡିଓ ଗତ ଜୁନ୍ ୬ ତାରିଖରେ ଭାଇରାଲ ହୋଇଥିଲା । କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜସିଂହ ଏ ନେଇ ପାଟଣାଗଡ ଥାନାରେ ଏତଲା ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.