Latest Odisha News

BREAKING NEWS

ଲୁଟିନେଲେ ଗରିବର ଭାତହାଣ୍ଡି; ଖାଇଗଲେ ତିନିମାସର ପିଡିଏସ ଚାଉଳ

ନୂଆପଡା: ସବୁଥିରେ ଦୁର୍ନୀତି ।  ଶ୍ରମିକଙ୍କୁ ପାଉଣା ଦେବାରେ ଦୁର୍ନୀତି । ବୁଢାବୁଢୀଙ୍କ ଭତ୍ତାରେ ଦୁର୍ନୀତି । ଅସହାୟ ଭିନ୍ନକ୍ଷମଙ୍କୁ ସହାୟତା ଟଙ୍କା ଯୋଗାଣରେ ବି ଦୁର୍ନୀତି । ତଥାପି ପୂରିଲାନି ପେଟ । ଶେଷରେ ଗରିବର ଭାତହାଣ୍ଡିରୁ ଚାଉଳ ବି ଛଡ଼ାଇ ନେଲେ । ଖାଇଗଲେ ତିନି ମାସର ପିଡିଏସ ଚାଉଳ । ୨ଟି ପଞ୍ଚାୟତର ଶହଶହ ଗରିବ ହିତାଧିକାରୀ ଭୋକ ଉପାସରେ ପଡିଛନ୍ତି । ନା ଅଛି ସରକାରୀ  କଳକୁ ଭୟ ନା  ମାନବିକ ମୂଲ୍ୟବୋଧକୁ ଖାତିର  ? ହେଲେ ଏହାକୁ ନେଇ ତାତି ଉଠିଛନ୍ତି ଶହଶହ ହିତାଧିକାରୀ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗରିବସେନା ସହ ଶହଶହ ହିତାଧିକାରୀ । ଏ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଓ ଅଗ୍ରେନ ପଂଚାୟତରେ ।

ଦୁଇଟି ପଞ୍ଚାୟତର ହିତାଧିକାରୀଙ୍କ ପାଇଁ ଆସୁଥିବା  ଶହଶହ କୁଇଣ୍ଟାଲ ଚାଉଳ ହଡପ କରାଯାଇଛି । ବ୍ଲକ ପ୍ରଶାସନ ଏହା ଜାଣି ମଧ୍ୟ ଚୁପ ରହିଛି ।   କର୍ମଚାରୀ, ଅଧିକାରୀଙ୍କ ସହ କିଛି ଜନପ୍ରତିନିଧି ଏହି ଚାଉଳ ହଡ଼ପ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଅଭିଯୋଗକୁ ଅଣଦେଖା କରୁଥିବା ରୁ ଗରିବସେନାର ଆହ୍ୱାନ କ୍ରମେ ଶହଶହ ହିତାଧିକାରୀ ରାଜ ରାସ୍ତାକୁ ଓହ୍ଲାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ପୂର୍ବରୁ   ଜନ ପ୍ରତିନିଧି ଓ କିଛି କର୍ମଚାରୀଙ୍କୁ ରଜନା ପଂଚାୟତରେ ଲୋକେ ତାଲା ପକାଇ ଅଟକ ରଖିଥିଲେ ।  କୋମନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାର ଏକ ସପ୍ତାହ ବିତିଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ PDS ହଡ଼ପ କାରୀ ଦୋଷୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନାହିଁ ।  ଗରିବ ସେନା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱରେ ଗରିବ ହିତାଧିକାରୀ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଏହି ଦୁଇ ପଞ୍ଚାୟତରେ ଖାଲି ପିଡିଏସ ଚାଉଳ ନୁହେଁ,  MGNRGA କାର୍ଯ୍ୟରେ ପ୍ରକୃତ ଶ୍ରମିକଙ୍କୁ ପାଉଣା ନ ମିଳିବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ହାତରେ ଦେବା ଭଳି ପାଞ୍ଚ ଦଫା ଦାବି ନେଇ ଶହଶହ ମହିଳା ଓ ପୁରୁଷ କୋମନା ଠାରେ ଏକ ବିଶାଳ ଶୋଭାଯାତ୍ରା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶେଷ କରି PDS ଦୁର୍ନୀତି ଓ MGNREGA କାର୍ଯ୍ୟ ରେ ଶ୍ରମିକଙ୍କୁ ଠିକ ସମୟରେ ପାରିଶ୍ରମିକ ଦେବା ଓ ପ୍ରକୃତ ଶ୍ରମିକଙ୍କୁ ପ୍ରଦାନ କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

ଅଗ୍ରେନ ଓ ରଜନା ପଞ୍ଚାୟତ ର PDS ଦୁର୍ନୀତି ବହୁ ପୁରୁଣା ହୋଇଥିବା ବେଳେ ଏଥିରେ ଜଣେ ଯୋଗାଣ ସହାୟକଙ୍କୁ କାର୍ଯ୍ୟ ରୁ ବାହାର କରି ପ୍ରଶାସନ ଚୁପ ବସିଥିବା ଲୋକେ ସହଜେ ଗ୍ରହଣ କରୁ ନାହାନ୍ତି । କାରଣ କେବଳ ଜଣେ ଯୋଗାଣ ସହାୟତା ଶହଶହ କ୍ୱିଣ୍ଟାଲ ଚାଉଳ ହଡ଼ପ କରି ପାରିବ ନାହିଁ । ଏଥିରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନେଇ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କ ହାତଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  କରାଯିବା ସହ  ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ ।  ନଚେତ ଆଗାମୀ ଦିନରେ ୩୫୩   ଜାତୀୟ ରାଜପଥ କୋମନାଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ ବୋଲି ଗରିବ ସେନା ସଭାପତି ଚେତାବନୀ ଦେଇଛନ୍ତି ।

ଅପରପକ୍ଷେ ଚାଉଳ ହଡ଼ପ ଘଟଣାକୁ କୋମନା ବିଡ଼ିଓ ସ୍ୱୀକାର କରିବା ସହ ଯୋଗାଣ ସହାୟକଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିବା କହିଛନ୍ତି । ଏହି ଘଟଣା ବାବଦରେ ଥାନାରେ ମାମଲା ଦିଆ ହୋଇଛି  । ଜିଲ୍ଲା ପ୍ରଶାସନକୁ ମଧ୍ୟ ଲିଖିତ ଦିଆଯାଇଛି ।  ଅତିଶୀଘ୍ର ତାର ତଦନ୍ତ ହୋଇ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିବା ସହ MGNREGA ଓ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.