Latest Odisha News

BREAKING NEWS

କାମ ନସରୁଣୁ ରାସ୍ତାରୁ ଉଠୁଛି ପିଚୁ, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ନୂଆପଡା: ଗାଁ ଠାରୁ ସହରକୁ ସଂଯୋଗ କରିବାକୁ ବିଭିନ୍ନ ରାସ୍ତା କାମ ପାଇଁ ସରକାର ମହତ ଉଦ୍ଧେଶ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧ୍ୟରେ ପିସି କାରବାର ଓ ଲାଭଖୋର ନୀତି ଯୋଗୁଁ ରାସ୍ତା ମାନ ନିମ୍ନରୁ ଅତିନିମ୍ନ ଭାବରେ କାର୍ଯ୍ୟ ହୋଇଛି । ଯାହା ଏବେ ବିଭାଗର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ଘଟଣା ନୂଆପଡା ଜିଲ୍ଲାରେ ବାରମ୍ବାର ଦେଖା ଦେଉଥିଲେ ମଧ୍ୟ ବିଭାଗ ଓ ସମ୍ପୃକ୍ତ ଠିକାଦାର ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦୁର୍ନୀତି କମିବା ବଦଳରେ ବଢ଼ିବଢି ଚାଲିଛି । କିଛିଦିନ ପୂର୍ବରୁ ନୂଆପଡା ଜିଲ୍ଲା କୋମନା ଗଣ୍ଡାମେର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବର୍ତ୍ତମାନ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ବଡ଼ମହେଶ୍ୱର ଠାରୁ କୁଲିଗାଁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ବଡ଼ମହେଶ୍ୱର ଠାରୁ କୁଲିଗାଁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ଏକ କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି ରାସ୍ତା ନିର୍ମାଣ ପାଇଁ ମୁକେଶ କୁମାର ଅଗ୍ରୱାଲ ନାମକ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ । ସରକାରୀ ନିୟମ ଅନୁସାରେ କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟର ସୂଚନା ଫଳକ ଲଗେଇବାର ବ୍ୟବସ୍ଥା ଥିଲେ ହେଁ ଏଥିରେ ଠିକାଦାର ବ୍ୟତିକ୍ରମ କରିଥିବା ଦେଖା ଦେଇଛି । ରାସ୍ତା କାମର ସମୟ ଅବଧି ଆଉ ମାତ୍ର କିଛି ଦିନ ଥିବା ବେଳେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ରାସ୍ତା କାର୍ଯ୍ୟର କିଛିଦିନ ନହେଉଣୁ ରାସ୍ତାର ଅବସ୍ଥା ଏମିତି ହୋଇଛି ଯିଏ ସ୍ୱଚକ୍ଷୁରେ ନଦେଖିଛି ବିଶ୍ୱାସ ହେବ ନାହିଁ । ତାହା କଲଭର୍ଟ ହେଉ କି ଗାର୍ଡୱେଲ ହେଉ ଅଥବା ପିଚୁ । ସବୁ କାର୍ଯ୍ୟ ରେ ନିମ୍ନ ରୁ ଅତିନିମ୍ନ କାର୍ଯ୍ୟ କରି ଠିକାଦାର ତରବରିଆ ଭାବରେ କାର୍ଯ୍ୟ ଶେଷ କରୁଥିବା ଅଭିଯୋଗ ହୋଇଛି । ରାସ୍ତା କାର୍ଯ୍ୟ ଚାଲିଥିବା ସମୟ ରେ ଯନ୍ତ୍ରୀ ଙ୍କ ଉପସ୍ଥିତ ଅଥବା ତଦାରଖ କରିବାର ନିୟମ ଥିବା ବେଳେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ରାତି ଅଧିଆ କାର୍ଯ୍ୟକରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏମିତି କି ଏବାବଦରେ ଠିକାଦାରଙ୍କୁ ଅବଗତ କଲେ ଲୋକଙ୍କୁ ଧମକ ଚମକ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ବଡ଼ମହେଶ୍ୱର ଠାରୁ କୁଲିଗାଁ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ରେ ବ୍ୟାପକ ଅନିୟମିତତା ଦୃଶ୍ୟ କ୍ୟାମେରା ରେ କଏଦ ହୋଇଥିବା ଦୃଶ୍ୟ କେବଳ ଉଦାହରଣ ମାତ୍ର । କାର୍ଯ୍ୟ ଚାଲୁଥିବା ସମୟ ରେ ରାସ୍ତା ର ଉଭୟ ପାର୍ଶ୍ଵ ଦବୀ ଯାଇଥିବା ବେଳେ ସ୍ଥାନେ ସ୍ଥାନେ ପରସ୍ତ ପରସ୍ତ ହୋଇ ପିଚୁ ବାହାରି ପଡୁଛି । କୌଣସି ଗାଡି ମୋଟର କିମ୍ବା ଭାରି ଯାନବାହନ ନଚାଳିବା ପୂର୍ବରୁ ରାସ୍ତା ର ସ୍ଥିତି ଯଦି ଏମିତି ତେବେ କୌଣସି ଯାନବାହନ ଚଳାଚଳ କଲେ ମାସେ ରୁ ଦୁଇ ମାସ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହେବା ନିଶ୍ଚିତ ବୋଲି ଗ୍ରାମବାସୀ କହିଛନ୍ତି । ବଡ଼ ମହେଶ୍ବର କୁଲିଗାଁ ରାସ୍ତା ରେ କାର୍ଯ୍ୟ ନିମ୍ନମାନ ର ତାହା ନୁହେଁ, ଶ୍ରମିକ ମାନଙ୍କୁ ମଧ୍ୟ ସରକାରୀ ଦର ରୁ ଅତି କମ ଟଙ୍କା ଠିକାଦାର ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଯେ କୌଣସି ବ୍ୟକ୍ତି ଏବାବଦ ରେ ମୁହଁ ଖୋଲିଲେ କିମ୍ବା ଅଭିଯୋଗ କଲେ ଠିକାଦାର ଙ୍କ ସହ ତାଙ୍କ ସହଯୋଗୀ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏମିତି କି ଖବର ପାଇଁ ଯାଇଥିବା କିଛି ସାମ୍ବାଦିକ ଙ୍କୁ ମଧ୍ୟ ଠିକାଦାର ଫୋନ ମାଧ୍ୟମରେ ବିଭିନ୍ନ କଥା ଆଳରେ ଧମକ ଦେଉଥିବା ଅଡିଓ ହସ୍ତଗତ ହୋଇଛି ।  ଏହାକୁ ନେଇ ଗ୍ରାମବାସୀ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ଦେଖାକରି ଅଭିଯୋଗ କରିଥିବା ବେଳେ କାର୍ଯ୍ୟ ରେ ଯଦି କିଛି ଭୁଲ ଅଛି ତାର ସମାଧାନ କରିଦିଆ ଯିବ ବୋଲି ଘଟଣାକୁ ହାଲୁକାର ସହ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏହି ରାସ୍ତା ନିର୍ମାଣ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୁର୍ନୀତି କରିଥିବା ଠିକାଦାର ଓ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.