Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୮   

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ନାରାୟଣ )ଙ୍କ ସ୍ଥିତି ସକଳ ଘଟରେ ଏହି ସତ୍ୟକୁ ଉପଲବ୍ଧି କରି ସାଧକ କବି ଜଗନ୍ନାଥ ଦାଶ “ଓଡ଼ିଆ ଭାଗବତ “ରେ ସୁନ୍ଦର ପଦଟିଏ ଦେଲେ : “ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ ।” କେବଳ ଅନାଦି କାରଣ ନାରାୟଣ ନୁହଁନ୍ତି, ଏ ପିଣ୍ଡରେ, ଅସତ୍ୟ ଧ୍ବଂସକାରି, ଅମଙ୍ଗଳ ହରଣକାରି, ଅସୁନ୍ଦର ନାଶକାରି, ସ୍ୱୟଂ ସତ୍ୟ, ଶିବ, ସୁନ୍ଦର ଭାବରେ ଜଗତରେ ବିଦିତ ସଦାଶିବ ମଧ୍ୟ ଏ ପିଣ୍ଡ ରେ ବାସ କରୁଥିବାର ପ୍ରମାଣ ଅଛି। ଆଦିକବି ସାରଳା ଦାସଙ୍କ ପ୍ରଣିତ “ମହାଭାରତ କାବ୍ୟ “ରେ

“ଦୁଇ ଆଡକୁ ଯେ କର୍ଣ ମୂଳ ବେନି
ରୁଦ୍ର ଦେବତା ବସଇ ଭୃଙ୍ଗୀଗଣ ଘେନି ।”

କିନ୍ତୁ ସଦାଶିବଙ୍କ ଉପସ୍ଥିତି ନେଇ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଲେ

“କଣ୍ଠ ଚକ୍ରକୁ ଏବେ ଧର ବିଶୁଦ୍ଧ ନାମଟି ଏହାର,
ପଦ୍ମ ଅଟଇ ଷୋଳ ଦଳ, ସର୍ବ ସ୍ବରର ଖେଳଘର
* * * *
ଦେବ ଶଙ୍କର ବୃଷଭରେ, ଏହି ଚକ୍ରେ ରହି ଲୀଳା କରେ.(ଛୟାଳିଶ ପଟଳ)

ଏହି ତଥ୍ୟକୁ ଟିକିଏ ଅନ୍ୟ ଭାବରେ ଅଚ୍ୟୁତାନନ୍ଦ ଦାସ ନିଜ ରଚିତ କାବ୍ୟ ଗ୍ରନ୍ଥ “ବ୍ରହ୍ମ ଶାଙ୍କୁଳି”ରେ ଲେଖିଲେ –

“ମିଳିବ କଣ୍ଠ ଚକ୍ରେ ଯାଇ,
ସେ ଚକ୍ରେ ଛନ୍ତି ଉମା ସାଇଁ,
ଗିରି ଫିଟିଣ ତିନି ଧାର,
ପଡେ ଶଙ୍କର ମସ୍ତକର.
ସେ ଅଟେ ମକରନ୍ଦ ରସ,
ହର କରନ୍ତି ନିତ୍ୟ ଗ୍ରାସ।”

ପୁନଶ୍ଚ ଆମେ ପରମ ସାଧକ ବଳରାମ ଦାସଙ୍କ ଉକ୍ତିକୁ ଗ୍ରହଣ କଲେ “ବିରାଟ ଗୀତା ” କୁ ଆଲୋଚନା କରିବା, ସେଠାରେ ସେ ଲେଖିଲେ

“ବିଷ୍ଣୁ ଯେ ଗରୁଡ଼ ଆରୋହୀ,
ସହସ୍ରେ ଏକ ମୁଖ ହୋଇ
ମିଳନ୍ତି କଣ୍ଠ ଚକ୍ରେ ଯାଇ,
ସେଠାରେ କାଳ ନ ପଶଇ,
ସେଠାରେ ଈଶ୍ୱରଙ୍କ ପୁର,
କାଳର ନାହିଁ ଅଧିକାର,
ବ୍ରହ୍ମ ହେତୁକ ଏଥି ଥିଲେ,
ଜୀବ ପରମେ ଲୀନ ହେଲେ।”

ଏଠାରେ ନିଶ୍ଚୟ ମନରେ ପ୍ରଶ୍ନ ଆସିବଣି, ଯେ ସତରେ କଣ୍ଠ ରେ କିଏ ବାସ କଲେ ? ଏମିତି ତ ସାଧାରଣ ଭାବରେ ଆମେ କଣ୍ଠରେ ସରସ୍ବତୀ ବାସ କରନ୍ତୁ ବୋଲି କହିଥାଉ। ଏବେ ପୁଣି ସାଧକ ମାନେ ପ୍ରମାଣ ଦେଲେଣି ସ୍ୱୟଂ ସଦାଶିବ, ଅବା ସ୍ୱୟଂ ବିଷ୍ଣୁ ଏଠାରେ ବାସ କରନ୍ତି। ତେବେ ଠିକ କେଉଁଟା, ଏହାର ଉତ୍ତର ଅତ୍ୟନ୍ତ ସରଳ, ଠିକ ସମସ୍ତେ, କାରଣ ବ୍ରହ୍ମ ତତ୍ତ୍ୱରେ ନିରୂପଣ କଲେ ଏ ତ୍ରିସ୍ୱରୂପ, ଆମ ଜଗନ୍ନାଥଙ୍କ ତ୍ରିମୂର୍ତ୍ତି ଅଟନ୍ତି। କେହି କାହାଠାରୁ ଭିନ୍ନ ନୁହଁନ୍ତି। ଆସନ୍ତୁ ଡାକିବା ସେ ପରଂବ୍ରହ୍ମଙ୍କୁ ସେହି ଅଚ୍ୟୁତାନନ୍ଦଙ୍କ ରଚନାରୁ ପଦେ :-

“ଏହି ଜଗନ୍ନାଥ ମୂରତି ଚାରି ବେଦେ ଗୁପତ, ମନୁ, ତନୁ, ବୁଝାଇ ଗୁରୁ କହନ୍ତି ତତ୍ତ୍ୱ, ଉଦ ନୀଳାଚଳବାସୀ ଏକାକ୍ଷର ପ୍ରମାଣ, ଯେ ଯେତେ ଭ୍ରମାଇଲେ କେବେ ନୋହିବ ଭ୍ରମ ।

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )

Leave A Reply

Your email address will not be published.