Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ପ୍ରତିଷ୍ଠିତ “ପତିତପାବନ “ଙ୍କ ବିଷୟରେ ଥିବା ଇତିହାସକୁ ଭୁଲ ବୋଲି ପ୍ରମାଣିତ କରେ ସପ୍ତଦଶ ଶତାବ୍ଦୀର ତୃତୀୟ ଦଶକରେ ରଚିତ କବି ଦିବାକର ଦାସଙ୍କ “ଜଗନ୍ନାଥ ଚରିତାମୃତ “. ସେଥିରେ ସ୍ପଷ୍ଟ ଭାବରେ ଲିଖିତ ଅଛି ଯେ “ଆଦ୍ୟେଣ ସିଂହଦ୍ୱାର ସ୍ଥାନ, ପତିତପାବନ ଦର୍ଶନ ।” ଅର୍ଥାତ ରାଜା ରାମଚନ୍ଦ୍ର ଦେବଙ୍କ (ଦ୍ଵିତୀୟ )ଙ୍କ ସମୟରୁ ପ୍ରାୟ ଏକଶହ ବର୍ଷ ପୂର୍ବେ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କ ସ୍ଥିତି ରହିଥିଲା। କାରଣ ଶ୍ରୀଜଗନ୍ନାଥଙ୍କଠାରେ ଆରୋପିତ ପତିତପାବନ (ପତିତ ଉଦ୍ଧାର )ଭାବ ନିଶ୍ଚିତ ଭାବେ ପ୍ରତିଷ୍ଠା କାଳରୁ ଚାଲି ଆସୁଛି। ତେଣୁ ତାଙ୍କର ଅଛୁଆଁ, ଶ୍ରୀମନ୍ଦିର ପ୍ରବେଶ ବାଧିତ ଭକ୍ତଙ୍କ ନିତ୍ୟ ଦର୍ଶନ ପାଇଁ ବ୍ୟବସ୍ଥା ମନ୍ଦିର ପ୍ରତିଷ୍ଠା ସହ ରହି ଆସିଛି। କିନ୍ତୁ ସ୍ୱତନ୍ତ୍ର ଭାବେ ସିଂହ ଦ୍ୱାର ଗୁମୁଟ ନିର୍ମାଣ ପରେ ବିଧିବଦ୍ଧ ଭାବରେ ଏହାଙ୍କୁ ରାଜା ରାମଚନ୍ଦ୍ର ଦେବଙ୍କ ସହ ଯୋଡି ଦିଆ ଯାଇଛି। ସନ୍ଥ କବି ତୁଳସୀ ଦାସ ଗୋସ୍ୱାମୀ ରଚିତ “ରାମଚରିତ ମାନସ “କହେ “ଦାସୁ ପତିତପାବନ ବାନା, ଗାଵ ହି କବି ଶ୍ରୁତି ସନ୍ଥ ପୁରାନା ।” ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ ଶ୍ରୀଜଗନ୍ନାଥ ହିଁ ପତିତପାବନ ।

“ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳା ଯାର, ପତିତପାବନ ଅର୍ଥେ ପ୍ରସାଦୁଁ ବାହାର ।” ଏସବୁ ଗୁଡିକ ଆଲୋଚନା କଲେ ରାଜା ରାମଚନ୍ଦ୍ର ଦେବଙ୍କ ବହୁ ପୂର୍ବରୁ ନିଜ ଅଛୁଆଁ ଭକ୍ତମାନଙ୍କ ପାଇଁ ଏହି ପତିତପାବନ ଭାବର ପ୍ରକାଶ ଘଟିଥିବାର ଅନୁମେୟ ହୁଏ। ଏହି ଭାବିଏତେ ହୃଦୟ ସ୍ପର୍ଶୀ ଯେ ଯବନ ଭକ୍ତ ସାଲବେଗ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚନା କରିଛନ୍ତି “ପତିତପାବନ ଅଷ୍ଟକମ ” । ପତିତପାବନ ଚେତନାର ବିଶେଷ ଗବେଷଣା କହେ ଆଲବାର ସମ୍ପ୍ରଦାୟର ତୃତୀୟ ଗୁରୁ ମହଦଯୋଗୀ ପ୍ରଥମେ ଶ୍ରୀଜଗନ୍ନାଥଙ୍କଠାରେ ଏହି ପତିତପାବନ ଭାବ ଦର୍ଶନ କରି, ଏହି ଚେତନାର ପରିପ୍ରକାଶ କରିଥିଲେ। ଏହି ଆଲବାର ସମ୍ରଦାୟ ବ୍ରହ୍ମଗିରି ଠାରେ “ଅଲାରନାଥ “ଙ୍କ ପ୍ରତିଷ୍ଠାତା ।ସେ ଯାହା ହେଉ, ଇତିହାସର ଭୁଲ ଠିକ ବାଛିବା ପୂର୍ବରୁ ଗୋଟିଏ କଥା ମନକୁ ଖୁବ ଆଲୋଡିତ କରେ ଯେ ସତରେ ମୋ ପ୍ରଭୁଙ୍କ ସଂସ୍କୃତି କେତେ ମହାନ, ଆସନ୍ତୁ କବି ଦୀନକୃଷ୍ଣଙ୍କ ଭାଷାରେ ପ୍ରଭୁଙ୍କର ଆରାଧନା କରିବା।

ଭୃତ୍ୟ ବତ୍ସଳ ନାଥ ସେ ଅନାଥ ପାହି
ପତିତପାବନ ବାନା ଅଛନ୍ତି ବହି।
ପାତକୀ ପlତକ ସେ କରନ୍ତି କ୍ଷମା
ଅତିହିଁ ବଡ଼ ପ୍ରଭୂ ବିଚିତ୍ର କର୍ମା ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.