ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ କାଞ୍ଚି ଗଣେଶଙ୍କ ଦର୍ଶନ କରି ସାରିଛେ, କଥା ପ୍ରସଙ୍ଗରେ ଆମେ କିଛି ଗବେଷକଙ୍କ ମନ୍ତବ୍ୟ ମଧ୍ୟ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା ସମ୍ପୂର୍ଣ ଇତିହାସ ବା କାଞ୍ଚି ଅଭିଯାନ କଥା । ୧୪୭୪ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ରାଜା ଶାଲ୍ଵ ନରସିଂହ ଦେବଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଅବଶ୍ୟ ପ୍ରଥମ ଥର ପରାସ୍ତ ହୋଇ ଫେରି ଆସି ଶ୍ରୀଜଗନ୍ନାଥ ଙ୍କୁ ପାର୍ଥନା କରିଥିଲେ ଓ କାଞ୍ଚି ରାଜାଙ୍କୁ ତାଙ୍କ ଇଷ୍ଟ ଶ୍ରୀଗଣେଶ ସାହାଯ୍ୟ କଲା ପରି ଶ୍ରୀଜଗନ୍ନାଥ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରନ୍ତୁ ବୋଲି ଗୁହାରି କରିଥିଲେ। ଏହା ପର ଉପାଖ୍ୟାନ ସର୍ବଜନ ବିଦିତ କଳା ଘୋଡା ଓ ଧଳା ଘୋଡା ଚଢି ଶ୍ରୀବଲଭଦ୍ର ଓ ଶ୍ରୀଜଗନ୍ନାଥଙ୍କ କାଞ୍ଚି ଗମନ, ମାଣିକ ଗୌଡୁଣି ହାତରୁ ଦହି ଖାଇ, ରତ୍ନମୁଦି ବନ୍ଧା ଦେବା କଥା ଆଜି ମଧ୍ୟ ଲୋକ ମୁଖରେ ସତେଜ ଅଛି। ତେବେ ଯୁଦ୍ଧ କ୍ଷେତ୍ରରେ ଘଟିଲା ଏକ ଚମତ୍କାର କାଞ୍ଚି ଗଣେଶ ତାଙ୍କର ମୂଷିକ ବାହାନରେ ବସି କାଞ୍ଚି ସେନାଙ୍କୁ ସାହାଯ୍ୟ କରୁଥିବା ଦେଖି ଶ୍ରୀଜଗନ୍ନାଥଙ୍କ ଶ୍ୱେତ ଅଶ୍ୱ (ଶଙ୍ଖଦାରୁ )ହଠାତ ମାର୍ଜରୀ (ବିରାଡ଼ି )ରୂପ ଧାରଣ କଲେ। ଏଥିରେ ଭୟଭିତ ହୋଇ ମୂଷିକ ପଳାୟନ କରିବାରୁ ଗଣେଶ ଭୂମିରେ ପଡିଗଲେ ଓ ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କୁ ନରସିଂହ ରୂପରେ ଦେଖି, ପ୍ରଭୁଙ୍କର ଶରଣ ମାଗିଲେ। କାଞ୍ଚି ରାଜାଙ୍କର ପରାଜୟ ହେଲା। ଶାସ୍ତ୍ର କହେ “କର କର ହସନ୍ତି ସେ ରାଉତ ଭାଇ ବେନି, କିହୋ ଗଣନାଥ ତୁମେ ଥିଲ କି ନ ଚିହ୍ନି। ପୁଣି ଗଜପତି ଙ୍କୁ ଆଦେଶ ଦେଇ କହିଥିଲେ ତାର ଇଷ୍ଟ ଦେବତା ଯେ ଗଣପତି ତାଙ୍କୁ ଆଣି ରଖିବୁ ମୋର ପଛ କତି । (ଶ୍ରୀକ୍ଷେତ୍ର ମାହାତ୍ମ୍ୟ )
ଏହାର ଐତିହାସିକ ସତ୍ୟତା କେତେ ତାହା ଏଠାରେ ଆଲୋଚନା ନକରି ଏହି ରୋଚକ ଜନଶ୍ରୁତିକୁ ଆଧାର କଲେ ନିଶ୍ଚିତ ହେବା ଯେ ଏହି ବିଗ୍ରହ କାଞ୍ଚିରୁ ହିଁ ଆସିଛନ୍ତି। ଗବେଷକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ମତରେ ଏହି ରୀତି ସେ ସମୟର ଚଳଣିରେ ପରିଲିକ୍ଷିତ ହୁଏ। ପରାଜିତ ରାଜ୍ୟରୁ ବିଜିତ ରାଜା ଅନେକ ଧନରତ୍ନ ସହ ବିଭିନ୍ନ ଦେବା ଦେବୀଙ୍କୁ ମଧ୍ୟ ବିଜୟର ସ୍ମାରକୀ ରୂପେ ଘେନି ଆସି ଥାଏ। ସେ ଯାହା ହେଉ ଶ୍ରୀମନ୍ଦିରରେ ବିରାଜିତ ଭଣ୍ଡ ଗଣେଶ ବର୍ତ୍ତମାନ ଶ୍ରୀମନ୍ଦିର ଅଭିନ୍ନ ଅଙ୍ଗ ହୋଇ ସାରିଲେଣି ତଥା ଶ୍ରୀମନ୍ଦିର ପରମ୍ପରାରେ ସାମିଲ ହେଲେଣି। ଆଗାମୀ ଅଧ୍ୟାୟରେ ତାହାର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଏବେ ଆରାଧନା ଓ ଭାଗବତ ପଠନ ସମୟ ।
ସ୍ବପ୍ନ ଜାଗ୍ରତ ପ୍ରାୟ ହୋଇ
ତାର ସଂସାର ନିବର୍ତ୍ତଇ ।
ନିରଭିମାନ ଗୃହେ ଦେହେ
କରି ଭ୍ରମଇ ସର୍ବ ଠାଏ ।
ସଂକଳ୍ପ ନ ଭାବଇ ମନେ
ଗୃହ ଶରୀର ଅଭିମାନେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )