Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶାରଦୀୟ ଉତ୍ସବର ଆରମ୍ଭ ଷୋଡଶ ପୂଜାର ଆରମ୍ଭ ସମୟରୁ ହୋଇ ସାରିଛି । ଆମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଭିତରେ ଓ ବାହାରେ କିଛି ଠାକୁରାଣୀଙ୍କ ଅବସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସେହି ପର୍ଯାୟରେ ଆସନ୍ତୁ ଜାଣିବା ଆଉ କିଛି ଠାକୁରାଣୀଙ୍କୁ

କନକଦୁର୍ଗା :-ଗଜପତି ମହାରାଜଙ୍କ ଶ୍ରୀ ନହର ମଧ୍ୟରେ ପୂଜିତ ଠାକୁରାଣୀ ହେଲେ ମା କନକଦୁର୍ଗା। ସେ ରାଜବଂଶର ଇଷ୍ଟ ଦେବୀ, ଗଜପତି ମହାରାଜଙ୍କ ତତ୍ୱାବଧାନ ରେ ପୂଜିତ ହେଲେ ମଧ୍ୟ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ଠାକୁରାଣୀଙ୍କ ଭୋଗ ବ୍ୟବସ୍ଥା ହୋଇଛି। ବଡଦାଣ୍ଡରେ ପୂଜିତ ଚର୍ଚ୍ଚିକା, ମର୍ଚ୍ଚିକା ଓ କନକଦୁର୍ଗା ତିନି ଭଉଣୀ ଭାବେ ବିବେଚିତ ହୁଅନ୍ତି ।

ଜୟଦୁର୍ଗା :-ଏହା ଭାରତୀ କୋଠା ନରେନ୍ଦ୍ର ପୋଖରୀ ନିକଟରେ ଅବସ୍ଥିତ, ଏହି ମନ୍ଦିର ଅତ୍ୟନ୍ତ ପୁରାତନ ଓ ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ଏହାର ଦେଖାରେଖା କରୁଛନ୍ତି, ଏହି ଠାକୁରାଣୀ ଙ୍କ ଦୈନିକ ଓ ପର୍ବଯାତ୍ରା ଇତ୍ୟାଦି ଶ୍ରୀମନ୍ଦିର ପ୍ରଶାସନ କରୁଛନ୍ତି ।

କାକୁଡିଖାଇ :-ଶ୍ରୀମନ୍ଦିରର ଠିକ ବାହାରେ, ଅର୍ଥାତ ମେଘନାଦ ପ୍ରାଚୀର ର ଦକ୍ଷିଣ ପୂର୍ବ କୋଣ (ପେଜ ନଳା )ନିକଟବର୍ତ୍ତୀ ହୋଇ କାକୁଡିଖାଇ ଠାକୁରାଣୀ ବିରାଜମାନ କରିଛନ୍ତି. ଏଠାରେ ଦେବୀ ଦୁର୍ଗା ଙ୍କର ମହିଷାମର୍ଦିନୀ ସ୍ୱରୂପ ପୂଜିତ ହୁଅନ୍ତି । ଅଶ୍ୱିନ ମାସ ଷୋଳପୂଜା ସମୟରେ ମା ବିମଳାଙ୍କ ପାଖରେ ମାନସିକ କରିଥିବା ବଳି ଭୋଗ ଏହିଠାରେ ନିବେଦନ କରାଯାଏ ।

ବାଟମଙ୍ଗଳା :-ପୁରୀ -ଭୁବନେଶ୍ୱର ରାସ୍ତା କଡ଼ରେ, ପ୍ରସିଦ୍ଧ ଅଠରନଳା ସେତୁଠାରୁ ଅଳ୍ପ ଦୂରରେ ମା ବାଟ ମଙ୍ଗଳା ପୂଜିତ ହେଉଛନ୍ତି। ଶାରଦୀୟ ପୂଜା ଉତ୍ସବ ମଧ୍ୟ ଏହି ମନ୍ଦିରରେ ଅନୁଷ୍ଠିତ ହେଉଛି। ଏକ ଅନନ୍ୟ ପରମ୍ପରା ଅନୁସାରେ ପୁରୀକୁ ଆସୁଥିବା ବା ପୁରୀରୁ ଯାଉଥିବା ସମସ୍ତ ଯାନବାହାନ ଏଠାରେ ଟିକେ ଅଟକି ପ୍ରଣିପାତ କରିବାର ବିଧି ଅଛି ।

ଆଗାମୀ ଅଧ୍ୟାୟମାନଙ୍କରେ ପୁରୀସହର ବାହାରେ ଥିବା କିଛି ପ୍ରସିଦ୍ଧ ଠାକୁରାଣୀଙ୍କ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ଆରାଧନାର ସମୟ।

ଓଁ ଚଂ ଚଂ ଚଂ ଚନ୍ଦ୍ରହାସା, ଚାଚରା ଶୁଭ୍ର କେଶା, ଡଂ ଡଂ ଡଂ ଡମ୍ବରୁ କରଧରା ଡାକା ହାକା ପ୍ରହାକା
ରଂ ରଂ ରଂ ରକ୍ତବର୍ଣା ରୁଧିର ମଣିମୟା ପାତୁଂ ମା ଦେବୀ ଦୁର୍ଗା ।

ଜୟ ମା ଦୁର୍ଗା, ଜୟ ଜଗନ୍ନାଥ (ଡ. ତ୍ରି. ଉବାଚ )

Leave A Reply

Your email address will not be published.