ସିଏଟେଲ: ଚଳିତ ଫିଫା ବିଶ୍ୱକପରେ ଆମେରିକା ଓ ଅଷ୍ଟ୍ରେଲିଆ ମ୍ୟାଚରେ ଆଚାର ଜୁସ ପିଇ ରେଫରୀ ସୁସ୍ଥ ହେବା ଚର୍ଚ୍ଚାର କାରଣ ସାଜିଛି । ମ୍ୟାଚର ଅନ୍ତିମ ସମୟରେ ଜର୍ମାନୀର ରେଫରୀ ଫେଲିକ୍ସ ଜ୍ୱେୟର ହଠାତ ମାଂସପେଶୀଜନିତ ସମସ୍ୟା ଯୋଗୁ ପଡିଆରେ ପଡି ଯାଇଥିଲେ । ଏଥିପାଇଁ ଖେଳ କିଛି ସମୟ ବନ୍ଦ ରହିଥିଲା । ସେ ପଡିିଯିବା ପରେ ଖେଳାଳିମାନେ ତାଙ୍କୁ ସହଯୋଗ କରିଥିଲେ । ଏହି ସମୟରେ ମେକ୍ସିକୋର ୪ର୍ଥ ଅଧିକାରୀ କେଟୀ ଗାର୍ସିୟା ଆଚାର ରସ ଥିବା ଏକ ବୋତଲ ନେଇ ପଡିଆକୁ ଆସିଥିଲେ । ଜ୍ୱେୟର ଏହାକୁ ପିଇବା ପରେ ସୁସ୍ଥ ହୋଇଥିଲେ । ସେ ମ୍ୟାଚ ମଧ୍ୟ ସମ୍ପୂର୍ଣ୍ଣ କରାଇଥିଲେ ।
ତେବେ ଆଚାର କିପରି ତାଙ୍କୁ ସୁସ୍ଥ କଲା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା । ଆଚାରରେ ଥିବା ସିରକା ଗଳାର ପଛପଟେ ସ୍ଥିତ ସେନ୍ସରକୁ ସକ୍ରିୟ କରାଇଥାଏ । ଏହି ପ୍ରକ୍ରିୟା ମସ୍ତିଷ୍କକୁ ସଙ୍ଗେ ସଙ୍ଗେ ସୂଚନା ପ୍ରଦାନ କରିଥାଏ । ଫଳରେ ମାଂସପେଶୀକୁ ସଂକୁଚିତ କରୁଥିବା କୋଶିକା ଶାନ୍ତ ହୋଇଯାଇଥାଏ । ୧ ମିନିଟ ମଧ୍ୟରେ ଏହି ସମସ୍ୟାରୁ ଆରାମ ମିଳିଥାଏ । ଏହାକୁ ମ୍ୟାଜିକ ଡ୍ରିଙ୍କ ମଧ୍ୟ କୁହାଯାଇଥାଏ । ଆମେରିକା ଏହି ମ୍ୟାଚରେ ୨-୦ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।
