Latest Odisha News

BREAKING NEWS

ଭୋଟ୍ ଦେଉଛି ପିପିଲି: ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ପୁରୀ: ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯାଉଛି । କୋଭିଡ୍ କଟକଣା ଭିତରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସନ୍ଧ୍ୟା ୬ଟା ଯାଏ ଚାଲିବ ।

ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟର କୋଭିଡ୍ ଗାଇଡଲାଇନ୍ ଅନୁସାରେ ଧାଡିରେ ଆସି ସାମାଜିକ ଦୂରତା ରକ୍ଷା କରି ଭୋଟ୍ ଦେଉଛନ୍ତି । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିପିଲିର ମୋଟ୍ ୨ଲକ୍ଷ ୨୯ହଜାର ୯୯୮ ଭୋଟର୍ । ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ୍ ୩୪୮ଟି ବୁଥ୍ କରାଯାଉଛି ।

୩୪୮ଟି ବୁଥ୍  ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ । ଏଥିରୁ ୧୭୫ଟି ବୁଥରେ ଓ୍ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ୨୩ଟି ବୁଥରେ ମୁତୟନ ଅଛନ୍ତି ମାଇକ୍ରୋ ଅବଜରଭର୍ । ଶାନ୍ତିଶୃଙ୍ଖଳାରେ ମତଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଭୋଟ୍ ଗ୍ରହଣ କାର୍ୟ୍ୟରେ ନିୟୋଜିତ ଅଛନ୍ତି ୨୨ଶହରୁ ଅଧିକ ପୋଲିସ ଓ ସୁରକ୍ଷା କର୍ମଚାରୀ ।

ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନ ଖାଲି ପଡ଼ିଥିଲା । ଗତ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସରିଥିଲା ପ୍ରସ୍ତୁତି । ତେବେ ଭୋଟ୍ ଗ୍ରହଣର କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ଉପନିର୍ବାଚନ ସ୍ଥଗିତ ରହିଥିଲା ।

ପରେ ମେ’ ମାସରେ ଉପନିର୍ବାଚନ ନେଇ ଘୋଷଣା ହୋଇଥିଲା ତାରିଖ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍ଥଗିତ ରହିଥିଲା ପିପିଲି ଭୋଟ୍ । ଆସନ୍ତା ୩ ତାରିଖରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ଫଳାଫଳ ।

Leave A Reply

Your email address will not be published.