Latest Odisha News

ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତନ କରିବା ପାଇଁ ଏହି ୫ ଖେଳାଳିଙ୍କ ପାଇଁ ଆଇପିଏଲ ଶେଷ ସୁଯୋଗ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବ । ଟିମ ଇଣ୍ଡିଆରୁ ବାଦ ପଡିଥିବା କେତେକ ଖେଳାଳିଙ୍କ ପାଇଁ ଏହି ଆଇପିଏଲ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଏଥିରେ ଭଲ ପ୍ରଦର୍ଶନ କରି ସେମାନେ ଟିମ ଇଣ୍ଡିଆକୁ ଫେରିବା ପାଇଁ ଉଦ୍ୟମ କରିବେ । ବିସ୍ଫୋଟକ ବ୍ୟାଟ୍ସମ୍ୟାନ ରାହୁଲ ତ୍ରିପାଠୀ ୨୦୨୩ରେ ଭାରତ ପକ୍ଷରୁ ୫ଟି ଟି୨୦ ମ୍ୟାଚ ଖେଳିଥିଲେ । ମାତ୍ର ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଏବେ ସେ ଆଇପିଏଲ ମାଧ୍ୟମରେ ପୁନର୍ବରେ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବେ ।

ଅଭିଜ୍ଞ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କ ଦକ୍ଷତା ଆନ୍ତର୍ଜାତୀୟସ୍ତରରେ ପ୍ରତିପାଦିତ କରିଛନ୍ତି । ତେବେ ୨୦୨୩ ଅଗଷ୍ଟ ପରଠାରୁ ସେ ଆଉ ଭାରତୀୟ ଦଳ ପକ୍ଷରୁ ଖେଳିବା ସୁଯୋଗ ପାଇ ନାହାନ୍ତି । ଆଇପିଏଲରେ ସେ ପ୍ରଭାବୀ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ଦଳକୁ ପ୍ରତ୍ୟାବର୍ତନ କରିବା ଆଶା ରଖିବି ।

୨୦୧୯ରେ ନବଦୀପ ସୈନୀ ଭାରତ ପକ୍ଷରୁ ହ୍ୱାଇଟ ବଲ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୨୧ ପରଠାରୁ ତାଙ୍କୁ ହଠାତ ଦଳରୁ ବାଦ ଦିଆଯାଇଥିଲା । ଏହି ଆଇପିଏଲ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିପାରେ । ଭାରତର ସୁଇଂ ପେସ ବୋଲର ଦୀପକ ଚହର ୨୦୨୩ ପରଠାରୁ ଦଳରୁ ବାହାରେ ରହିଛନ୍ତି । ଅବଶ୍ୟ ଆଘାତ ସମସ୍ୟା ତାଙ୍କୁ ଅସୁବିଧାରେ ପକାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଫିଟ ଥିବାରୁ ଆଇପିଏଲରେ ମିଳିଥିବା ସୁବର୍ଣ୍ଣ ସୁଯୋଗ ହାତଛଡା କରିବାକୁ ଚାହିଁବେ ନାହିଁ ।

ଭାରତୀୟ କ୍ରିକେଟ ଟିମ ପକ୍ଷରୁ ୩ଟି ଯାକ ଫର୍ମାଟରେ ଖେଳି ସାରିଥିବା ପୃଥ୍ୱୀ ଶ ଏବେ ଦଳରେ ସ୍ଥାନ ପାଉ ନାହାନ୍ତି । ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ସେ ଚୟନ କମିଟିକୁ ପୂର୍ବରୁ ପ୍ରଭାବିତ କରିଥିଲେ । ଏବେ ମଧ୍ୟ ଆଇପିଏଲ ମାଧ୍ୟମରେ ସେ ଦଳକୁ ଫେରିବା ପାଇଁ ଚାହିଁବେ । ଅନ୍ୟ ଅର୍ଥରେ ଏହି ୫ଜଣ ଖେଳାଳିଙ୍କ ପାଇଁ ଆଇପିଏଲ ଶେଷ ସୁଯୋଗ ଆଣିଛି କହିଲେ ଭୁଲ ହେବନି ।

Leave A Reply

Your email address will not be published.