Latest Odisha News

BREAKING NEWS

ରେଳ ଦୁର୍ଘଟଣା ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ; ଦୁର୍ଘଟଣାସ୍ଥଳକୁ ଆଜି ଆସିବେ ମୋଦି

ନୂଆଦିଲ୍ଲୀ:ବାଲେଶ୍ୱର ବାହାନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଥରାଇ ଦେଇଛି । ଏକା ସାଙ୍ଗରେ ତିନି ତିନୋଟି ଟ୍ରେନ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଲାଣି । ଆହୁରି ବଢିପାରେ । ରେଳ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ଓ କେନ୍ଦ୍ର ପ୍ରଶାସନ ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଆ ଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ।

ତେବେ ଏତେ ବଡ ଦୁର୍ଘଟଣା କେମିତି ଘଟିଲା, କାହିଁକି ଘଟିଲା ? ତାର ସମୀକ୍ଷା  ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରିବେ । ଅନ୍ୟପକ୍ଷେ ଘଟଣାର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ବାଲେଶ୍ୱର ଦୁର୍ଘଟଣାସ୍ଥଳରୁ ଫେରିବା ପରେ କଟକ ଆସିବେ ବୋଲି ମଧ୍ୟ କୁହାଯାଉଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିଛନ୍ତି । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଥାଉ କି, ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୮୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୯୦୦ ଆହତ ହୋଇଥିବା ଜଣାଯାଇଛି ।  ଆହୁରି ଅନେକ ଲୁହାବଗିତଳେ ଚାପି ହୋଇ ରହିଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।  ଗୁରୁତର  ଓ ଆହତଙ୍କୁ ବାଲେଶ୍ୱର, ଭଦ୍ରକ, ସୋର, ଖନ୍ତାପଡା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।   ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ସହ ଅଗ୍ନିଶମ ବିଭାଗ ।

Leave A Reply

Your email address will not be published.