Latest Odisha News

BREAKING NEWS

ମାଟି ବଞ୍ଚାଅ ଆନ୍ଦୋଳନ ସଫଳ ହେବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବ ପରିବେଶ ଦିବସ ଅବସରରେ ଇଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମାଟି ବଞ୍ଚାଅ ଆନ୍ଦୋଳନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ଯେତେବେଳେ ଆଜାଦି କା ଅମ୍ରିତ ମହୋତ୍ସବର ସଂକଳ୍ପ ନେଇଛି, ସେତେବେଳେ ଏଭଳି ଆନ୍ଦୋଳନ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗତ ଆଠବର୍ଷ ମଧ୍ୟରେ କେନ୍ଦ୍ର ସରକାର ପରିବେଶ ସୁରକ୍ଷାକୁ ଆଖିଆଗରେ ରଖି ଅନେକ ପଦକ୍ଷେପ ନେଇଥିବା କହିଛନ୍ତି । ସ୍ୱଚ୍ଛଭାରତ ମିଶନ, ସମ୍ପଦ ନଷ୍ଟ କରୁଥିବା ସମ୍ପର୍କୀତ କାର୍ୟ୍ୟକ୍ରମ, ଏକକ ପ୍ଳାଷ୍ଟିକ ବ୍ୟବହାର ହ୍ରାସ, ଗୋଟିଏ ସୂର୍ୟ୍ୟ ଗୋଟିଏ ପୃଥିବୀ ବା ଇଥାନଲ ମିଶ୍ରଣ ଭଳି କାର୍ୟ୍ୟକ୍ରମ ପରିବେଶ ସୁରକ୍ଷାର ଉଦାହରଣ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ଭାରତରେ ପରିବେଶ ସୁରକ୍ଷା ଉଦ୍ୟମ ଦିଗରେ କେନ୍ଦ୍ର ସରକାର ବହୁମୁଖୀ କାର୍ୟ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି । ଜଳବାୟୁ ସୁରକ୍ଷା ଦିଗରେ ଭାରତ ଉଦ୍ୟମ ଜାରି ରଖିଛି । ବିଶ୍ବରେ ଆଧୁନିକ ଦେଶଗୁଡିକ ପୃଥିବୀର ଅମୂଲ୍ୟ ସମ୍ପଦ କେବଳ ଲୁଟ କରୁନାହାନ୍ତି ବରଂ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ସେମାନଙ୍କ ଦ୍ୱାରା ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱରେ ବ୍ୟକ୍ତି ପିଛା ବାର୍ଷିକ ହାରାହାରି ଅଙ୍ଗାରକାମ୍ଳ ନିର୍ଗମନ ୪ ଟନ ହୋଇଥିବାବେଳେ ଭାରତରେ ବ୍ୟକ୍ତି ପିଛା ଏହା ୦.୫ଟନ୍ ରହିଛି । ଭାରତ ଦୀର୍ଘମିଆଦି ଭିତିରେ ଆନ୍ତର୍ଜାତିକ ଗୋଷ୍ଠୀ ସହ ମିଶି ପରିବେଶ ସୁରକ୍ଷା ପାଇଁ କାର୍ୟ୍ୟ କରୁଛି । ଆନ୍ତର୍ଜାତିକ ସୌର ଚୁକ୍ତି ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗଉଛି । ୨୦୭୦ ସୁଦ୍ଧା ଭାରତର ତାର ଲକ୍ଷ୍ୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ସହ ମାଟିର ସୁରକ୍ଷା ପାଇଁ ପାଞ୍ଚଟି ଜିନିଷ ଉପରେ ଭାରତ ଏବେ ଧ୍ୟାନ ଦେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ହେଲା ମାଟିକୁ ରାସାୟନିକ ପ୍ରକ୍ରିୟାରୁ ମୁକ୍ତ କରିବା । ଦ୍ୱିତୀୟ ହେଲା ମାଟିରେ ଥିବା ଜୈବିକ ପଦାର୍ଥକୁ ରକ୍ଷା କରିବା । ତୃତୀୟରରେ ମାଟିର ଆର୍ଦ୍ରତା ରକ୍ଷା ଓ ଏଥିରେ ଜଳୀୟ ଅଂଶ କିପରି ରହିବ ଏହା ଦେଖିବା । ଚତୁର୍ଥରେ ଭୂତଳ ଜଳ ହ୍ରାସ ଯୋଗୁଁ ମାଟିରୁ ହେଉଥିବା କ୍ଷତିକୁ ସୁଧାରିବା । ଏବଂ ପଞ୍ଚମରେ ଜଙ୍ଗଲ କ୍ଷୟ ଯୋଗୁଁ ନିରବଚ୍ଛିନ୍ନ ମୃତ୍ତିକା କ୍ଷୟ କିପରି ରୋକିବା ।

ମାଟି ସମସ୍ୟାର ସମାଧାନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ଚାଷୀମାନେ ମାଟିର କିସମ, ଓ ସେଥିରେ ଥିବା ଜଳୀୟ ଅଂଶ ପରିମାଣ ଜାଣିପାରୁ ନ ଥିଲେ । ସେ ସମସ୍ୟାରୁ ମୁକ୍ତି ପାଇବା ଲାଗି ଏକ ବିଶାଳ ଅଭିଯାନ ଜରିଆରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେଶରେ ଦିଆଯାଉଛି ଯାହା ଦ୍ବାରା ଚାଷୀ ଏହି ବଡ଼ ସମସ୍ୟାରୁ ମୁକ୍ତି ପାଇପାରିବ ।

ପ୍ରଧାନମନ୍ତ୍ରୀ ଆହୁରୀ କହିଥିଲେ ଯେ ସରକାର ଜନସାଧାରଣଙ୍କ ସହ ଜଳ ସଂରକ୍ଷଣ ବା କ୍ୟାଚ ଦି ରେନ ଅଭିଯାନ ଆରମ୍ଭ କରିଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରେ ହିଁ ଦେଶର ୧୩ଟି ବଡ ନଦୀରେ ଜଳ ସଂରକ୍ଷଣ କିପରି ହେବ ସେଥିପାଇଁ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ନଦୀରେ ପ୍ରଦୂଷଣ ମାତ୍ରା ହ୍ରାସ ସହ କୂଳରେ ଗଛ ଲଗାଇବା ପାଇଁ କାର୍ୟ୍ୟ ଚାଲିଛି । ଏହା ଦ୍ୱାରା ୭୪୦୦ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଦେଶର ଜଙ୍ଗଲ ସୀମା ୨୦ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଯାହାକି ଗତ ଆଠବର୍ଷ ମଧ୍ୟରେ ଥିବା ଲକ୍ଷ୍ୟ ହାସଲ କରାଯାଇପାରିଛି ।

କେବଳ ସେତିକି ନୁହେଁ ଭାରତ ଆଜି ଜୈବ ବିବିଧତା ଓ ବନ୍ୟପ୍ରାଣୀ ନୀତି ଯୋଗୁଁ ଦେଶରେ ବନ୍ୟପ୍ରାଣୀ ସଂଖ୍ୟାରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି । ବାଘ, ସିଂହ, ହାତୀ ସମସ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରଥମ ଥର ପାଇଁ ସ୍ୱଚ୍ଛତା ଓ ଜାଳେଣିରେ ଆତ୍ମନିର୍ଭରଶୀଳତା ପାଇଁ ପଦକ୍ଷେପ ନିଆଯାଇଛି ।

ଚଳିତ ବର୍ଷ ବଜେଟରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଗଙ୍ଗାନଦୀ କୂଳରେ ଥିବା ଗ୍ରାମଗୁଡିକୁ ବଛାଯାଇଛି, ଯାହା ପ୍ରାକୃତିକ କୃଷିର ଏକ ବିସ୍ତୃତ ପଥ ସୃଷ୍ଟି କରିପାରିବ । ଏହା ଆମର ଚାଷ ଜମିଗୁଡିକୁ ରାସାୟନିକ ପଦାର୍ଥରୁ ମୁକ୍ତ କରିବା ସହ ନମାନି ଗଙ୍ଗେ ପ୍ରକଳ୍ପ ମଧ୍ୟ ନୂତନ ଶକ୍ତି ପାଇବ । ଭାରତ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ଚାଷ ଜମିର ପୁନରୁଦ୍ଧାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । ଦେଶ ଏଲଇଡି ବଲ୍‌ବ ଅଭିଯାନ ଦ୍ବାରା ବିରାଟ ପରିବର୍ତନ ଆଣିପାରିଛି । ଦେଶରେ ସୌରଶକ୍ତି ସାମର୍ଥ୍ୟ ୧୮ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଶତକଡା ୧୦ଭାଗ ଇଥାନଲ ମିଶ୍ରଣ ଲକ୍ଷ୍ୟ ନିର୍ଦ୍ଧାରିତ ସମୟର ପାଞ୍ଚମାସ ଆଗରୁ ହାସଲ କରିଛି । ଏହା ଦ୍ୱାରା ୨୭ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଉଦ୍‌ଗୀରଣ ହ୍ରାସ ହେବ । ଦ୍ୱିତୀୟତଃ ଏହା ଦ୍ୱାରା ୪୧ହଜାର କୋଟି ବୈଦେଶିକ ମୁଦ୍ରା ସଞ୍ଚୟହେବ ଓ ତୃତୀୟରେ ଇଥାନଲ ମିଶ୍ରଣ ଯୋଗୁଁ ଚାଷୀମାନେ ଗତ ଆଠବର୍ଷରେ ୪୦ହଜାର ୬ଶହ କୋଟି ଟଙ୍କାର ଲାଭ ପାଇଛନ୍ତି ।

କେବଳ ସେତିକି ନୁହେଁ ୧୦୦ରୁ ଅଧିକ ଜଳପଥରେ ବହୁମୁଖୀ ସଂଯୋଗକରଣ ଯୋଗୁଁ ମଧ୍ୟ ପ୍ରଦୂଷଣ ହ୍ରାସ ପାଇବ । ପରିବେଶ ଓ ମାଟି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ସେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ନିର୍ମାଣ ନେଇ ଜନସାଧାରଣଙ୍କୁ ଧ୍ୟାନ ଆକର୍ଷଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ମାଟି ବଞ୍ଚାଅ ଆନ୍ଦୋଳନ ଏକ ବୈଶ୍ୱିକ ଆନ୍ଦୋଳନ ଓ ମାଟିର ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏହି ଆନ୍ଦୋଳନ ମାର୍ଚ୍ଚ ୨୦୨୨ରେ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ଦ୍ୱାରା ଆରମ୍ଭ ହୋଇଛି । ସଦଗୁରୁ ୨୭ଟି ଦେଶ ମୋଟର ସାଇକେଲରେ ଭ୍ରମଣ କରି ସଚେତନତା ସୃଷ୍ଟି କରିଛନ୍ତି । ଏହି ୧୦୦ଦିନ ଯାତ୍ରାର ୭୫ଦିନ ଜୁନ ୫ତାରିଖରେ ସମ୍ପୂର୍ଣ୍ଣ ହେଉଛି ।

Leave A Reply

Your email address will not be published.