ଭୁବନେଶ୍ବର: ଆଳୁ ଦେବେନି ଦିଦି । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି । ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ । ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ କିଛି ଗାଡ଼ି ଫେରିଯାଇଛି । ଜାନୁଆରୀ-ଫେବ୍ରୁଆରୀରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଓ ପିଆଜ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇଛନ୍ତି । ଅଗଷ୍ଟରେ ପଶ୍ଚିମବଙ୍ଗ ଆଳୁ ରପ୍ତାନୀ ବନ୍ଦ କରିବା ପରେ ଓଡିଶାରେ ସ୍ଥିତି ଅଣାୟତ୍ତ ହୋଇଥିଲା । ଏବେ ପୁଣି ସେଭଳି ସଂକଟ ଦେଖା ଦେବ କି ?
ପୁଣି କନ୍ଦାଇବ ଆଳୁ !
ରାଜ୍ୟକୁ ଆଳୁ ଟ୍ରକ ଛାଡୁନି ପଶ୍ଚିମବଙ୍ଗ । ଏହାପରେ ବଢିବାରେ ଲାଗିଛି ଆଳୁ ଦର । କଟକ ଛତ୍ରବଜାରରେ ଦିନକ ଭିତରେ ଆଳୁଦର କିଲୋ ପିଛା ୮ଟଙ୍କା ବଢି ୩୫ଟଙ୍କାରେ ପହଞ୍ଚିଛି । ରାଜ୍ୟରେ କେଉଁଠି ୩୦ ତ କେଉଁଠି ୩୫ରୁ ୪୦ଟଙ୍କା କିଲୋ ପିଛା ବିକ୍ରି ହେଉଛି ଆଳୁ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହୋଇଥିବା ବେଳେ ଆଳୁ ଦର ଅଗଷ୍ଟ ମାସ ଭଳି ବଢିଲେ ଲୋକେ ହଇରାଣ ହୋଇଯିବେ । ବିଗିଡିଯିବ ଲୋକଙ୍କ ମାସିକ ବଜେଟ୍ । ରାଜ୍ୟ ସରକାର ଗ୍ରାହକଙ୍କୁ ୩୦ଟଙ୍କା କିଲୋରେ ଆଳୁ ଯୋଗାଇ ଦେବେ ବୋଲି କହିଛନ୍ତି । ତେବେ ଗତଥର ବି ପଞ୍ଜାବ, ୟୁପି ଆଳୁ କଥା କହିଥିଲେ ବି ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହୋଇଥିଲେ ଖାଉଟି ।
୩ମାସ ଆଳୁ ସଂକଟ !
ରାଜ୍ୟରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ବୁଧବାର ମମତା ବାନାର୍ଜୀ ପ୍ରଥମେ ନିଜ ରାଜ୍ୟର ଆବଶ୍ୟକତା ପୂରଣ କର, ପରେ ବ୍ୟବସାୟୀ ବିକ୍ରି କରନ୍ତୁ ବୋଲି କହିଥିଲେ । ପଶ୍ଚିମବଙ୍ଗରେ ସାଧାରଣତଃ ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ବେଳକୁ ନୂଆ ଆଳୁ ଅମଳ ହୋଇଥାଏ । ଅର୍ଥାତ ୨ରୁ ୩ମାସ ଆଳୁ ସଂକଟ ଭୋଗିପାରେ ଓଡିଶା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ଆଳୁ ଆମଦାନୀ କରିପାରନ୍ତି । ତେବେ ଅଗଷ୍ଟ ମାସରେ ବି ସମାନ ସ୍ଥିତି ବେଳେ ୟୁପି, ପଞ୍ଜାବରୁ ଆଳୁ ଆଣିବା କଥା କହିଥିଲେ ଯୋଗାଣ ମନ୍ତ୍ରୀ । ଉତ୍ତରପ୍ରଦେଶରୁ ଟ୍ରେନରେ ଆଳୁ ଆସିବା କଥା ବି କହିଥିଲେ, ହେଲେ ସ୍ଥିତି ବଦଳିନଥିଲା।
ଯୋଗାଣ ମନ୍ତ୍ରୀଙ୍କ ଭାଇ-ଭଉଣୀ କାହାଣୀ
ଆଳୁ ସଂକଟ କିଭଳି ସମାଧାନ ହେବ ସେନେଇ ଯୋଜନା କରିବା ବଦଳରେ ପୂର୍ବ ସରକାର ନାଁରେ ଦୋଷ ଠେଲିବାକୁ ଉଦ୍ୟମ କରିଛନ୍ତି ଯୋଗାଣ ମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଇ-ଭଉଣୀ କହି ମନ୍ତ୍ରୀ ନିଜ ଉପରୁ ଦୋଷ ଠେଲିଛନ୍ତି । ଭାଇ କହିଥିବେ ନଚେତ ଚିଠି ଲେଖିଥିବାରୁ ଭଉଣୀ ଆଳୁ ଦେଉନଥିବା କହିଛନ୍ତି । ତେବେ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ କଡା କାଉଣ୍ଟର କରିଛି ବିଜେଡି । ଲୋକଙ୍କୁ ଆଳୁ ଯୋଗାଇବା ସରକାରଙ୍କ ଦାୟିତ୍ବ । ନିଜ ଅପାରଗତା ଲୁଚାଇବାକୁ ପୂର୍ବ ସରକାର ନାଁରେ ଦୋଷ ଠେଲୁଥିବା କହିଛି ବିଜେଡି ।
ଅଗଷ୍ଟ ସଂକଟରୁ କିଛି ଶିଖିଲେନି ?
କ୍ଷମତାକୁ ଆସୁ ଆସୁ ରାଜ୍ୟରେ ଆଳୁ ସଂକଟର ସାମନା କରିଥିଲା ବିଜେପି ସରକାର । ସମାଧାନ ନେଇ ସରକାରଙ୍କ ସେଭଳି ତତ୍ପରତା ବି ଦେଖିବାକୁ ମିଳିନଥିଲା । ଆଳୁ ଦର ୬୦ଟଙ୍କା ଛୁଇଁଥିବା ବେଳେ କେତେବେଳେ ଉତ୍ତରପ୍ରଦେଶରୁ ତ କେତେବେଳେ ପଞ୍ଜାବରୁ ଆଳୁ ଆଣିବା ନେଇ କହୁଥିଲେ ଯୋଗାଣ ମନ୍ତ୍ରୀ । ଆଳୁ ସଂକଟ ଆଗରେ ସରକାର ସେତେବେଳେ ଏକପ୍ରକାର ହାତ ଟେକି ଦେଇଥିଲେ । ଆଳୁ ପରିଚାଳନାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ସେତେବେଳେ ସରକାରଙ୍କ ପାଖରେ କ୍ରାଇସିସ ମ୍ୟାନେଜ କରିବାର ଅଭିଜ୍ଞତା ନଥିଲା । ହେଲେ ଏଥର ବି ଯଦି ପୂର୍ବ ଭଳି ସବୁ ଦେଖି ସରକାର ଚୁପ୍ ରହିବେ, ତେବେ ଜନ ଅସନ୍ତୋଷ ବଢିବ । ବିଜେପି ସରକାରଙ୍କୁ ଦରଦାମ୍ ବୃଦ୍ଧିକୁ ନେଇ ଅଧିକ ସମ୍ବେଦନଶୀଳ ହେବାକୁ ପଡିବ । ନହେଲେ ସରକାର ପରିବର୍ତ୍ତନ ପରେ ମହଙ୍ଗା ମାଡ ନେଇ ବିରୋଧୀ ଯେଉଁ ନାରେଟିଭ୍ ପ୍ରସ୍ତୁତ କରୁଛନ୍ତି ତାକୁ ବିଶ୍ବାସ କରିବେ ଜନତା । ଯାହା ବିଜେପି ସରକାର ପାଇଁ ଶୁଭଙ୍କର ହେବନି ।
Comments are closed.