Latest Odisha News

BREAKING NEWS

ରାଜଧାନୀରେ ବିଦ୍ୟୁତ ସେବା ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିବ ଆହୁରି ୭୨ ଘଣ୍ଟା !

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ସମସ୍ତ ବାତ୍ୟା କ୍ଷତିଗ୍ରସ୍ତ ସ୍ଥାନମାନଙ୍କରେ ବିଦ୍ୟୁତ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ୪୮ରୁ ୭୨ ଘଣ୍ଟା ଲାଗିପାରେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରାଜଧାନୀର ଚନ୍ଦକା ଗ୍ରୀଡ୍ ଠାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ (ଓପିଟିସିଏଲ) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କାର୍ଯ୍ୟ ଚାଲିଛି ।

“ପୁରୀରେ ୩ ତାରିଖ ଦିନ ଭୟଙ୍କର ବାତ୍ୟା ଫନି ସ୍ଥଳପଥ ଛୁଇଁବା ସମୟରେ ପାୱାର ଗ୍ରିଡ଼ କର୍ପୋରେସନ ଅଫ ଇଣ୍ଡିଆ (ପିଜିସିଆଇଏଲ) ର ଏକ ୪୦୦ କେଭି ଟ୍ରାନ୍ସମିଶନ ଟାୱାର ଅନ୍ୟ ଏକ ଟାୱାର ଉପରେ ପଡ଼ିଯିବା ଫଳରେ ଚନ୍ଦକା ଗ୍ରୀଡ଼ରୁ ଭୁବନେଶ୍ୱର ସହରକୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଥିଲା,” ବୋଲି ଓପିଟିସିଏଲ ର ନିର୍ଦ୍ଦେଶକ ଉତ୍ତମ କୁମାର ସାମଲ ସୂଚନା ଦେଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୪୦୦ କେଭି ପିଜିସିଆଇଏଲ ଟ୍ରାନ୍ସମିଶନରେ କ୍ଷତି ପହଞ୍ଚିିଥିବାରୁ ପାଣ୍ଡିଆବିଲ ଗ୍ରିଡ଼ ସବ-ଷ୍ଟେସନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ଭାବେ ଓପିଟିସିଏଲର ଅନ୍ୟ ଏକ ୨୦୦ କେଭି ପିଜିସିଆଇଏଲ ଟ୍ରାନ୍ସମିଶନ ଲାଇନ ମଧ୍ୟ ବାତ୍ୟା ପ୍ରଭାବରେ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଛି ।

ଯଦିଓ ନୂଆ ୪୦୦ କେଭି ଟ୍ରାନ୍ସମିଶନ ଟାୱାର ଲାଗିବାକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ କିନ୍ତୁ, ଯେପରିବି ହେଉ ଚନ୍ଦକା ଗ୍ରିଡ଼ରୁ ପାୱାର ସପ୍ଲାଇ ଖୁବ ଶିଘ୍ର ହେବାକୁ ଯାଉଛି ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

ଏହି ଭୟଙ୍କର ବାତ୍ୟା ପ୍ରଭାବରେ ୫ଟି ୪୦୦ କେଭି ଟାୱାର, ୨୭ଟି ୨୨୦ କେଭି ଟାୱାର, ୨୧ଟି ୧୩୦କେଭି ଟାୱାର, ୪ଟି ୨୨୦କେଭି ଟାୱାର ଯଥାକ୍ରମେ ଚନ୍ଦକା, ବିଡ଼ାନାସୀ, ସମଗରା ଓ ମେଣ୍ଢାଶାଳଠାରେ ଭାଙ୍ଗିଯାଇଛି । ସେହିପରି ୪ଟି ୧୩୨କେଭି ଗ୍ରିଡ଼ ପୁରୀ, ନିମାପଡ଼ା ଏବଂ ମଞ୍ଚେଶ୍ୱର ତଥା ରଣସିଂହପୁରଠାରେ କ୍ଷତିଗ୍ରସ୍ତ ହୋଇଛି ।

ଏହା ବ୍ୟତୀତ ୫୦୩୦ କିଲୋମିଟର ବ୍ୟାପୀ ୩୩ କେଭି ଲାଇନ, ୩୮୬୧୩ କିଲୋମିଟରର ୧୧ କେଭି ଲାଇନ ଛିଣ୍ଡିଯାଇଛି ।

ଇତିମଧ୍ୟରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମଙ୍ଗଳବାର ଦିନ ୨୦୦୦ ଜଣ ବିଦ୍ୟୁତ କର୍ମୀଙ୍କୁ ଓଡ଼ିଶାରେ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବିଦ୍ୟୁତ ସେବା ପୁନରୁଦ୍ଧାର କାର୍ଯ୍ୟ ଲାଗି ପଠାଇବାକୁ ଆଶ୍ୱାସନା ପ୍ରଦାନ କରିଛନ୍ତି ।

ଏକ ଉତ୍ତମ ପଡ଼ୋଶୀ ଭାବେ ଆନ୍ଧ୍ରପ୍ରଦେଶ ସରକାର ସାଧ୍ୟମତେ ତାଙ୍କ ସରକାରଙ୍କ ପକ୍ଷରୁ ବାତ୍ୟା ପ୍ରପୀଡ଼ିତ ଓଡ଼ିଶାକୁ ସାହାଯ୍ୟ କରିବାକୁ ସହମତି ଦେଇଛନ୍ତି ।

Leave A Reply

Your email address will not be published.