ନୂଆଦିଲ୍ଲୀ: ଦିଲ୍ଲୀର ଲଜ୍ପତ ଭବନ ପରିସରରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ପ୍ରତିମୂର୍ତ୍ତି ଅନାବରଣ ସହ ଲୋକସେବକ ମଣ୍ଡଳ ସଂସ୍ଥାପକ ପଞ୍ଜାବ କେଶରୀ ଲାଲା ଲଜ୍ପତ୍ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ପିତ୍ତଳ-ତମ୍ବା ଧାତୁରେ ନିର୍ମିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୫୨ କେ.ଜି। ଲୋକସେବକ ମଣ୍ଡଳର ସଭାପତି ରାଜକୁମାରଙ୍କ ପରାମର୍ଶକ୍ରମେ ସେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବୋଲି ଶିଳ୍ପୀ ରବି ନାରାୟଣ ରଥ ସୂଚନା ଦେଇଥିଲେ।
ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ସମ୍ପାଦକ ରମାନାଥ ଝା, କୋଷାଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମକୁ ଏକ ଐତିହାସିକ ଗୌରବପୂର୍ଣ୍ଣ କ୍ଷଣ ବୋଲି କହିବା ସହ ଏହା ଓଡ଼ିଶାର ମହାନ ଐତିହ୍ୟ୍, ରାଷ୍ଟ୍ରସେବା ଏବଂ ଜନକଲ୍ୟାଣ ମୂଲ୍ୟବୋଧ ପ୍ରତି ସମର୍ପଣ ବୋଲି କହିଥିଲେ।
ଉତ୍କଳମଣି ଗୋପବନ୍ଧୁ ଦାସ ଓ ଲାଲାଜୀଙ୍କ ଭଳି ଦୁଇ ମହାନ ବିଭୂତି କିଭଳି ଜନସେବା, ତ୍ୟାଗ, ଶିକ୍ଷା ଓ ରାଷ୍ଟ୍ରନିଷ୍ଠା ଭଳି ଉଚ୍ଚାଦର୍ଶ ପ୍ରତିଷ୍ଠା କରିଛନ୍ତି, ତାହା ଆଜି ଆମର ପଥପ୍ରଦର୍ଶକ ହୋଇରହିଛି। ସେମାନଙ୍କ ବିଚାର ଓ ମୂଲ୍ୟବୋଧ ବିକଶିତ ଭାରତ ଓ ସଙ୍କଳ୍ପ ଦେଶବାସୀଙ୍କୁ ନିରନ୍ତର ନୂତନ ପ୍ରେରଣା ଓ ସାମର୍ଥ୍ୟ ପ୍ରଦାନ କରିଚାଲିଥିବା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।
ସେହିଭଳି ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୋପବନ୍ଧୁ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ ବୋଲି କହିବା ସହ ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ଜନସେବା ଓ ସର୍ବୋପରି ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ଛାପ ଛାଡି ଯାଇଛନ୍ତି ତାହା ଆମ ପାଇଁ ପ୍ରେରଣା ହୋଇ ରହିବ ବୋଲି କହିଥିଲେ।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଲାଗି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଭଳି ଐତିହାସିକ ମୂହୁର୍ତ୍ତର ସହଭାଗୀ ହେବା ପାଇଁ ପ୍ରବାସୀ ଓଡ଼ିଆ ବହୁ ସଂଖ୍ୟାରେ ଆଗ୍ରହର ସହ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସକ, ଆଇନଜୀବୀ, କଳାକାର, ଲେଖକ, ସମାଜସେବୀ, ପ୍ରବାସୀ ଓଡ଼ିଆ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳମଣି ଗୋପବନ୍ଧୁଙ୍କ ପରିବାର ସଦସ୍ୟ ଧୀରେନ୍ଦ୍ରନାଥ ଦାଶ, ଦେବେନ୍ଦ୍ରନାଥ ଦାଶ, ସ୍ମିତା ଦାସ, ଆଦିତ୍ୟ ଦାସ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଲୋକସେବକ ମଣ୍ଡଳର ସଭାପତି ରାଜକୁମାର କହିଛନ୍ତି, ଦିଲ୍ଲୀରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲୋକଙ୍କୁ ପ୍ରେରଣା ଦେବ। ଭାରତର ମହାନ ଜନସେବକ, ଦରିଦ୍ରଙ୍କ ବନ୍ଧୁ, ରାଷ୍ଟ୍ରଭକ୍ତ ଭାବେ ଜନମାନସରେ ଉତ୍କଳମଣି ପରିଚିତ। ରାଷ୍ଟ୍ରୀୟ ରାଜଧାନୀରେ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ଓଡ଼ିଶା ବାହାରେ ଲୋକମାନେ ତାଙ୍କ ବିଷୟରେ ଅଧିକ ଜାଣିପାରିବେ। ‘ସମାଜ’ ର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶକ୍ତି ପ୍ରସାଦ ନାୟକ ଓ ଲୋକ ସେବକ ମଣ୍ଡଳର କର୍ମକର୍ତ୍ତା ପରିଚାଳନା କରିଥିଲେ।