Latest Odisha News

BREAKING NEWS

ଛତିଶା ନିଯୋଗର ନିଷ୍ପତ୍ତିରେ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଧାର୍ଯ୍ୟ ହେଲା

ପୁରୀ : ଆସନ୍ତା ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଶ୍ରୀମନ୍ଦିର ଛତିଶା ନିଯୋଗ ସ୍ଥିର କରିଛି । ଏନେଇ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଥିଲା ।

ଛତିଶା ନିଯୋଗର ଏହି ବୈଠକରେ ଅଧ୍ୟକ୍ଷତା କରି ନୂତନ ଭାବେ ନିଯୁ୍କ୍ତ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ସଦସ୍ୟମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ । ଠିକ୍ ନୀତିକାନ୍ତି ସହିତ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଏହି ପବିତ୍ର ରଥଯାତ୍ରା ସୂଚାରୁରୂପେ କିପରି ଅନୁଷ୍ଠିତ ହୋଇପାରିବ ସେଥିଲାଗି ସେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ।

ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ନିମ୍ନମତେ ସ୍ଥିର କରାଯାଇଛି :

ମଙ୍ଗଳ ଆରତୀ – ସକାଳ ୬ ଘଟିକା, ମଇଲମଲାଗି – ସକାଳ ୬ଟା ୧୦, ତଡ଼ପଲାଗି ଓ ରୋଷହୋମ ନୀତି – ସକାଳ ୬ଟା ୩୦, ଅବକାଶ ନୀତି ୭ଟା, ସୂର୍ଯ୍ୟପୂଜା ୭ଟା ୧୦, ଦ୍ୱାରପାଳ ପୂଜା ଓ ବେଶ ୭ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୮ଟା ରୁ ୯ଟା, ରଥ ପ୍ରତିଷ୍ଠା ୯ଟା, ମଙ୍ଗଳାର୍ପଣ ୯ଟା ୧୫, ଶ୍ରୀବଳଭଦ୍ର, ମା’ ସୁଭଦ୍ରା, ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ୯ଟା ୩୦ ରୁ ମଧ୍ୟାହ୍ନ ୧୨ଟା ୩୦, ମଦନମୋହନଙ୍କ ପହଣ୍ଡିବିଜେ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା, ଚିତାଲାଗି ଓ ବେଶ ୧:୩୦ରୁ ୨:୦୦ , ଗଜପତି ମହାରାଜାଙ୍କ ଦ୍ୱାରା ୩ ରଥର ଛେରା ପହଁରା ଦିନ ୨ଟାରୁ ୩ଘଣ୍ଟା ପଯ୍ୟନ୍ତ, ଚାରମାଳ ଫିଟା ଓ ଘୋଡ଼ ସାରଥୀଲାଗି ୩ଟା ରୁ ୪ ଘଟିକା, ରଥଟଣା ଅପରାହ୍ନ ୪ଟା ।

ଏଥିସହିତ ଅନ୍ୟ ନୀତିର ସମୟ ନିର୍ଘଣ୍ଟ ମଧ୍ୟ ଧାର୍ଯ୍ୟ ହୋଇଛି । ଅନ୍ୟ ନୀତିଗୁଡ଼ିକ ମଧ୍ୟ ଧାର୍ଯ୍ୟ ହୋଇଥିବା ସମୟାନୁସାରେ ନୀତିକାନ୍ତି ପାଳିତ ହେବ ଯଥା: ଚକବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ତ୍ରୟୋଦଶୀ, ବନକଲାଗି ଚତୁଦ୍ଧଶୀ, ନେତ୍ରୋତ୍ସବ, ନବଯୌବନ ଦର୍ଶନ, ହେରା ପଞ୍ଚମୀ, ରଥ ଦକ୍ଷିଣ ମୋଡ଼, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଓ ସୁନାବେଶ ।

ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ସାର୍ଥକ ଷଡ଼ଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ ଦାସ, ମନ୍ଦିର ସେବାୟତ ତଥା ନିଯୋଗର ସେବକ ମାନେ ଛତିଶା ନିଯୋଗର ବୈଠକରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.