Latest Odisha News

BREAKING NEWS

ଗଞ୍ଜାମରେ ବ୍ୟାପକ ହେବ ଘରୋଇ ନର୍ସିଂହୋମ୍‌ ଯାଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବେଆଇନ ଭାବେ ଲିଙ୍ଗନିରୂପଣ କରୁଥିବା ଏକ ବଡ଼ ରାକେଟକୁ ବ୍ରହ୍ମପୁର ପୁଲିସ ଗତ କିଛି ଦିନ ପୂର୍ବେ ଧରିଥିଲା । ଏଥି ସହିତ କେତେକ ସ୍ଥାନରେ ବେଆଇନ ଭାବେ ନର୍ସିଂହୋମ୍‌ ଚାଲିଥିବା ନେଇ ମଧ୍ୟ ଅଭିଯୋଗ ପରେ ସେଗୁଡ଼ିକୁ ସିଲ୍‌ କରାଯାଇଥିଲା । ପୂର୍ବରୁ ମଧ୍ୟ ଏସଂପର୍କରେ ଅନେକ ଅଭିଯୋଗ ଆସିଥିଲା । ଘରୋଇ ନର୍ସିଂହୋମଗୁଡ଼ିକରେ ଚିକିତ୍ସାରେ ଅବହେଳା ଏବଂ ଶୋଷଣ ବଢ଼ିବାରେ ଲାଗିଥିବା ବେଳେ ବର୍ତ୍ତମାନ ଯାଞ୍ଚକୁ ବ୍ୟାପକ କରିବାକୁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି ।

ଜିଲ୍ଲାରେ ଅନେକ ଗୁଡିଏ ବେଆଇନ ଚିକିତ୍ସାଳୟ ଚାଲୁଥିବା ଜିଲା ପ୍ରଶାସନର ନଜରକୁ ଆସିଛି । ଅନେକ କ୍ଷେତ୍ରରେ କନ୍ୟାଭୃଣ ଚିହ୍ନଟ କରି ଗର୍ଭପାତ ଭଳି ଜଘନ୍ୟ କାର୍ଯ୍ୟ ମଧ୍ୟ ଚାଲୁଥିବା ନେଇ ଅଭିଯୋଗ ହୋଇଛି । କେତେକ ନର୍ସିଂହୋମ ଗୋଟିଏ ସେବା ପାଇଁ ଲାଇସେନ୍ସ ନେଇଥିବା ବେଳେ ଅନ୍ୟାନ୍ୟ ବେଆଇନ୍‌ କାର୍ଯ୍ୟ କରୁଛନ୍ତି । ରୋଗ ନିରୂପଣ କେନ୍ଦ୍ରଗୁଡ଼ିକ ନିର୍ଦ୍ଧାରିତ ଦର ଠାରୁ ଅଧିକ ଆଦାୟ କରୁଛନ୍ତି । ନୂତନ ମେସିନ୍ ବଦଳରେ ବହୁ ପୁରୁଣା ମେସିନ୍‌ର ବ୍ୟବହାର ହେଉଛି । ଏହିଭଳି ସମସ୍ତ କ୍ଷେତ୍ରକୁ ଆଧାର କରି ଚଢାଉ ଏବଂ ଯାଞ୍ଚ ବ୍ୟାପକ କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରାକ୍‌ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ(ପିସିପିଏନ୍‌ଡିଟି) ଆଇନ୍‌ର ଜିଲା ଉପଦେଷ୍ଟା କମିଟି ବୈଠକରେ ଏହି ନିର୍ଦେଶ ଦିଆଯାଇଛି ।

ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଚାଲୁ କରି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ଅସ୍ତ୍ରୋପଚାରକୁ ବିରୋଧ କରି ପ୍ରାକୃତିକ ଉପାୟରେ ପ୍ରସବ ଦିଗରେ ଗୁରୁତ୍ବ ଦେବା ପାଇଁ ସମସ୍ତ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ରୋଗ ନିରୂପଣ କେନ୍ଦ୍ରମାନଙ୍କରେ ଲିଙ୍ଗ ନିରୂପଣ ହେଉଥିବା ଜାଣିଲେ ଆଇନ୍ ଅନୁଯାୟୀ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ହେବାଭଳି ପଦକ୍ଷେପ ଗ୍ରହଣ କରାଯିବ। ଜିଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ସକାଳର ପ୍ରରମ୍ଭିକ ପ୍ରାର୍ଥନା ପରେ କନ୍ୟା ସନ୍ତାନର ଗୁରୁତ୍ବ ସମ୍ପର୍କରେ ଶିକ୍ଷକଗଣ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କନ୍ୟା ଭୃଣ ହତ୍ୟା ହେଉଥିବା ଖବର ପାଇଲେ ଶୁଳ୍କ ଫୋନ ନମ୍ବର ୨୬୩୮୦୦କୁ ଫୋନ୍ କରି ଜଣାଇବାକୁ ନିବେଦନ କରାଯାଇଛି । ବୈଠକରେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ମିଶ୍ର, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ବ୍ରହ୍ମପୁର ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମିଶ୍ର, ସିନିୟର ମେଡିକାଲ ସ୍ପେଶାଲିଷ୍ଟ ଡା. ଅମୂଲ୍ୟ କୁମାର ମିଶ୍ର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ଡିଏମ୍‌ଆରସିଏଚ୍‌ ଶକ୍ତି କୁମାର ଦିଗାଲ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.