Latest Odisha News

BREAKING NEWS

ପୁରୀ ଓ ବୀରମିତ୍ରପୁର ହାଜତ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇବା ସହ ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ହୋଇଇଛି ।

ପୋଲିସକୁ ସର୍ବସାଧାରଣଙ୍କ ଧନଜୀବନ ସୁରକ୍ଷା ସହିତ ଅପରାଧୀ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି ୨୪ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରାଇ ଜେଲ ପଠାଇବା ଦାୟିତ୍ଵ ଦିଆଯାଇଥିବାବେଳେ ପୋଲିସ ଆଜି ନିଜେ ନ୍ୟାୟାଳୟ ଓ ବିଚାରକ ସାଜି ବିଚାର ପୂର୍ବରୁ ଦଣ୍ଡ ଦେଉଛି ।

ପୋଲିସର ଏପରି କାର୍ଯ୍ୟ ଉଭୟ ସମ୍ବିଧାନ, ଗଣତାନ୍ତ୍ରିକ ବିଧି-ବ୍ୟବସ୍ଥା ତଥା ଭାରତୀୟ ଦଣ୍ଡବିଧି ଆଇନକୁ ଏକ ପ୍ରହସନରେ ପରିଣତ କରିଛି ବୋଲି ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ବାସେଳିସାହି ଥାନାଧିକାରୀ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାକୁ ଆଣି ତାକୁ ଅକଥନୀୟ ଶାରୀରିକ ନିର୍ଯ୍ୟାତନା ଦେବାଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିର ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଫଳରେ ପୋଲିସ ମୃତ ଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି ଅତ୍ୟନ୍ତ ତରବରିଆ ଭାବେ ଶବଟିକୁ ପୋଡ଼ି ଦେଇଥିବା କୁହାଯାଇଛି ।

ଅନୁରୂପ ଭାବେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ତାରିକ ସଲିମଙ୍କୁ ମଧ୍ୟ ପୋଲିସ ନିର୍ଯ୍ୟାତନା ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଛି ।

ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟ ତତ୍ତ୍ଵାବଧାନରେ ଏସ.ଆଇ.ଟି ଗଠନ କରି ଘଟଣାର ତଦନ୍ତ, ପୁରୀ ବାସେଳିସାହି ଥାନା ଓ ବୀରମିତ୍ରପୁର ଥାନାରେ ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ଧାରା ୩୦୨ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରିବା ଓ ନିରପେକ୍ଷ ତଦନ୍ତ ପାଇଁ ଉଭୟ ଜିଲ୍ଲାର ଏସ.ପି ଙ୍କୁ ନିଲମ୍ବିତ କରିବା , ଉଭୟ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିବାଦକାରୀ ମାନେ ଦାବି କରିଥିଲେ ।

Leave A Reply

Your email address will not be published.