Latest Odisha News

BREAKING NEWS

ଗର୍ବିତ ପିତୃତ୍ବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ସଂସାରରେ ସବୁ ବାପାମାନେ ଚାହାଁନ୍ତି କି ତାଙ୍କ ପିଲାମାନେ ତାଙ୍କଠାରୁ ଆହୁରି ଆଗକୁ ଯାଆନ୍ତୁ, ଜୀବନରେ ଖୁବ୍ ଉନ୍ନତି କରି ତାଙ୍କର ନାଆଁ ରଖନ୍ତୁ । ଶାସ୍ତ୍ର କହେ “ ବାପାଟିଏ ସେତିକିବେଳେ ବିଜୟୀ ହୁଏ ଯେତେବେଳେ ସିଏ ନିଜ ସନ୍ତାନଠାରୁ ହାରିଯାଏ । ସେଇ ହାରିବାରେ ଥାଏ ତା’ର ନିଜ ପିତୃତ୍ବ ର ଗୌରବ, ନିଜ ପରିଶ୍ରମର ସାର୍ଥକତା , ନିଜର ଆତ୍ମ ତୃପ୍ତି “।

ସେଦିନ ଥିଲା ଦୁଇ ହଜାର ଏକୋଇଶି ମସିହାର ଜାନୁଆରୀ ମାସର ଚାରି ତାରିଖ, ତିରୁପତିର କଲ୍ୟାଣୀ ଡ୍ୟାମ୍ ନିକଟସ୍ଥ ପୋଲିସ୍ ଟ୍ରେନିଂ ସେଣ୍ଟର୍ ରେ ନୂତନ ବର୍ଷ ପାଳନ ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ୍ ବାହିନୀର ଭବ୍ୟ ଉତ୍ସବ “ ଇଗନାଇଟ୍ ’ ର ଆୟୋଜନରେ ଏକତ୍ରିତ ଦେଇଥାନ୍ତି ସାରା ପ୍ରଦେଶର ପୋଲିସ୍ କର୍ମଚାରୀମାନେ। ନିଜ ଅଧିନସ୍ଥ ଅଞ୍ଚଳର ଶାନ୍ତି ଶୃଙ୍ଖଳା ରକ୍ଷା ବିଷୟରେ ଆଲୋଚନା ଚାଲିଥାଏ । ଗୁଣ୍ଟୁର୍ ଜିଲ୍ଲା ସହରାଞ୍ଚଳର ଡି ଏସ ପି ୟେଦୁରୁ ଜେସ୍ସି ପ୍ରଶାନ୍ତି। ଆନ୍ଧ୍ର ପ୍ରଦେଶ ବିଭାଜନ ପରେ ଦୁଇ ହଜାର ଅଠର ମସିହାରେ ପାସ୍ ଆଉଟ୍ ହୋଇଥିବା ପୋଲିସ୍ ଅଧିକାରୀଙ୍କର ମଧ୍ୟରେ ଖୁବ୍ କର୍ତ୍ତବ୍ୟ ପରାୟଣ ଏବଂ ସାହସୀ ହୋଇଥିବାରୁ ଗୁଣ୍ଟୁରର ଡି ଏସ୍ ପି ଭାବରେ ନିଯୁକ୍ତି ପାଇଥିବା ପ୍ରଶାନ୍ତିଙ୍କୁ ସରକାରଙ୍କ “ ଦିଶା” କାର୍ଯ୍ୟକ୍ରମର ଦାୟିତ୍ବ ଅର୍ପଣ କରା ଯାଇଥିଲା। ନିଜର ଉପରିସ୍ଥ ଅଧିକାରୀମାନଙ୍କୁ ଦିଶା ଯୋଜନା ଏବଂ ଜିଲ୍ଲାର ଶାନ୍ତି ଶୃଙ୍ଖଳା ପରିସ୍ଥିତି ବିଷୟରେ ଅବଗତ କରାଉଥାନ୍ତି ପ୍ରଶାନ୍ତି । ସେଇ ସମୟରେ ସେଠାରେ ଉପସ୍ଥିତ ହେଲେ ଜଣେ ପୋଲିସ୍ ଇନିସପେକ୍ଟର ୱାଇ ଶ୍ୟାମ ସୁନ୍ଦର । ଡି ଏସ୍ ପି ସାହେବାଙ୍କୁ ଦେଖି ସାବଧାନ ହୋଇ ବିଧି ମୁତାବକ ଆଟେନସନ୍ ପୋଜିସନରେ ସାଲ୍ୟୁଟ୍ ମାରିଲେ । ଡି ଏସ୍ ପି ସାହେବାଙ୍କ ଆଖିରେ ଫୁଟି ଉଠିଲା ଆଶ୍ଚର୍ଯ୍ୟ । ତଥାପି ସେ ଇନିସପେକ୍ଟରଙ୍କ ସାଲ୍ୟୁଟ୍ର ପ୍ରତିଉତ୍ତର ସାଲ୍ୟୁଟରେ ହିଁ ଦେଲେ । ଅନାୟାସରେ ପାଟିରୁ ତାଙ୍କର ବାହାରି ଆସିଲା “ ଇଏ କ’ଣ ବାପା ! ”

ପାଖରେ ଥିବା ଅନ୍ୟମାନେ ଆଶ୍ଚର୍ଯ୍ୟ ଚକିତ ଚାହିଁ ରହିଥିଲେ ସେମାନଙ୍କୁ । ସେଠାରେ ଉପସ୍ଥିତ ସମସ୍ତଙ୍କୁ ଜଣାଇ ଦେଇଥିଲେ ଡି ଏସ୍ ପି ସାହେବା “ ଇଏ ମୋ’ ବାପା “। ଚାପା ଗୁଞ୍ଜରଣ ଟିଏ ଖେଳି ଯାଇଥିଲା ସେହି ସ୍ଥାନରେ । ହସି ହସି ଆଗେଇ ଆସିଲେ ସେଠାରେ ଉପସ୍ଥିତ ଥିବା ଟିରୁପତି ସହରାଞ୍ଚଳ ଏସ୍ ପି ଏ ରମେଶ ରେଡ୍ଡୀ ଏବଂ ଇନିସପେକ୍ଟର ୱାଇ ଶ୍ୟାମ ସୁନ୍ଦରଙ୍କର ପିଠି ଥାପୁଡାଇ କହିଲେ “ ଧନ୍ୟ ତୁମେ ବାପ ଝିଅ । ତୁମ ଝିଅ ପ୍ରଶାନ୍ତି ପାଇଁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ସେ ଆମ ପୋଲିସ୍ ବିଭାଗର ଗର୍ବ ଏବଂ ଗୌରବ “।

ବିନମ୍ରତାର ସହ କୃତଜ୍ଞତା ଜଣାଇ କହିଲେ ଇନିସପେକ୍ଟର ୱାଇ ଶ୍ୟାମ ସୁନ୍ଦର “ ଅଶେଷ ଧନ୍ୟବାଦ ସାର୍ ! କର୍ତ୍ତବ୍ୟକୁ ମୁଁ ଈଶ୍ବର ମନେକରେ, ମୋ’ ନିଜର ଝିଅ ହେଲେ କ’ଣ ହେଲା! ପଦବୀରେ ସେ ମୋ’ଠାରୁ ବଡ , ପଦବୀକୁ ସମ୍ମାନ ଦେବା ମୋ’ର କର୍ତ୍ତବ୍ୟ, ତେଣୁ ସମ୍ମାନ ଜଣାଇଲି । ଏଥିରେ ମୋର ମାନ ସମ୍ମାନ ଊଣା ହେଲା ନାହିଁ ବରଂ ଗୌରବ ବଢିଲା”।ମୋ’ ଝିଅ ପାଇଁ ନିଜକୁ ମୁଁ ଖୁବ୍ ଗୌରବାନ୍ବିତ ମନେକରେ।

ଡି ଏସ୍ ପି ପ୍ରଶାନ୍ତି ଆଗେଇ ଆସି କହିଲେ “ ମୋ’ ବାପାଙ୍କ ପାଇଁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ସାର୍, ପିଲାବେଳୁ କର୍ତ୍ତବ୍ୟ ପରାୟଣତା ମୁଁ ତାଙ୍କରି ପାଖରୁ ଶିଖିଛି, ସେଥିପାଇଁ ପିଲାଟି ଦିନରୁ ହିଁ ମୋର ପୋଲିସ୍ ବିଭାଗରେ କାର୍ଯ୍ୟ କରିବାର ଲକ୍ଷ୍ୟ ଥିଲା, ଯାହା ତାଙ୍କରି ଆଶୀର୍ବାଦରୁ ଆଜି ପୂର୍ଣ୍ଣ ହୋଇଛି । ଖୁବ୍ ସୀମିତ ଆୟ ଭିତରେ ସେ ଆମକୁ ଉଚ୍ଚ ଶିକ୍ଷା ଦେଇଛନ୍ତି ଏବଂ ଜୀବନକୁ ଅସ୍ମିତାର ସହ ବଞ୍ଚିବା ପାଇଁ ଶିଖେଇଛନ୍ତି । ଆଜି ସିଏ ତାଙ୍କର କର୍ତ୍ତବ୍ୟ କଲେ ଏବଂ ମୁଁ ମୋର କର୍ତ୍ତବ୍ୟ କରିଛି । ଦେଖଣାହାରିମାନଙ୍କ ଦୃଷ୍ଟିରେ ବାପ ଝିଅ ଦୁହିଁଙ୍କର ପାଇଁ ଶ୍ରଦ୍ଧା ଓ ସମ୍ମାନ ଭରି ରହିଥିଲା ।

ଶାରଳା ଭବନ
ପୋତାପୋଖରୀ
ନୂଆବଜାର, କଟକ

Leave A Reply

Your email address will not be published.