Latest Odisha News

BREAKING NEWS

ମାମଲା ଗଡୁଛି କୋର୍ଟରେ, ଛାତ ପଡ଼ି ଚାଲିଛି ନିଷିଦ୍ଧାଞ୍ଚଳରେ

ପୁରୀ: ଐତିହ୍ୟ ପ୍ରକଳ୍ପ ମାମଲା ହାଇକୋର୍ଟ ବିଚାରଧୀନ ରହିଛି। ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି, ୧୦୦ ମିଟିର ପରିଧି ଭିତରେ ଖନନ କରିବାକୁ ଏଏସଆଇ ଅନୁମତି ଦେଇନାହିଁ । ଅନ୍ୟପଟେ ନିଷିଦ୍ଧାଞ୍ଚଳରେ ଛାତ ପଡ଼ି ଚାଲିଛି ।

ବିରୋଧୀ ଏବଂ ବୁଦ୍ଧୀଜୀବୀ ଯେତେବେଳେ ବେଆଇନ କାମକୁ ନେଇ ପ୍ରଶ୍ନ ଉଠାଇଥିଲେ ସେତେବେଳେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ପ୍ରଶାସନ କହିଥିଲା ସେଠାରେ କେବଳ ଚାରୋଟି ଶୌଚାଳୟ ତିଆରି ହେଉଛି। କୌଣସି ବଡ ଖନନ କାମ ହେଉନାହିଁ । ଏବେ କିନ୍ତୁ ଗୋଟିଏ ପରେ ଗୋଟିଏ ଘରେ ଛାତ ପଡିବା କାଳିଆ ପ୍ରେମୀଙ୍କ ସନ୍ଦେହକୁ ଆହୁରି ବଢାଇ ଦେଇଛି।

ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ ଓ ଦକ୍ଷିଣଦ୍ୱାରରେ ଖନନ ଓ ନିର୍ମାଣ ଜାରି ରହିଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଦ୍ୱାରରେ ନିର୍ମାଣାଧୀନ ୧୦ଟି ଘରର ଛାତ ପଡ଼ିଛି। ବାକି ଘରର ଛାତ ଖୁବଶୀଘ୍ର ପଡ଼ିବ ବୋଲି ଜଣାପଡିଛି। ଯଦି ମାତ୍ର ଚାରୋଟି ଶୌଚାଳୟ ତିଆରି ହେବାର ଥିଲା ତାହେଲେ ଏତେ ଛାତ କାହିଁକି ପଡିଲା ବୋଲି ଏବେ ସୋଶିଆଲ ମିଡିଆରେ ପ୍ରଶ୍ନ ଉଠିଛି।

ସୋମବାର ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ବେଳେ କହି ସାରିଛି, ନିଷିଦ୍ଧାଞ୍ଚଳ (୧୦୦ ମିଟର) ଭିତରେ ୩୦ ଫୁଟରୁ ଅଧିକ ଗାତ ଖୋଳା ହୋଇଥିବାରୁ ମନ୍ଦିରର ସୁରକ୍ଷା ପ୍ରତି ସନ୍ଦେହ ଘେରରେ ଥାଇପାରେ। ସେହିପରି ଖନନ କାମ ପାଇଁ ଆବଶ୍ୟକ ଅନୁମତି ନେଇନାହିଁ । ଏପରି ସ୍ଥିତିରେ ଠିକା କମ୍ପାନୀ ନିର୍ମାଣ କାମ ଜାରି ରଖିଛି। ଠିକା ସଂସ୍ଥା ପଶ୍ଚିମଦ୍ୱାରରେ ୭ଟି ଘର ନିର୍ମାଣ କରି ଛାତ ପକାଇଛି।  ବାକି ନିର୍ମାଣାଧୀନ ଏକାଧିକ ଘରର ଛାତ ପକାଇବା ନେଇ କାମ ଚାଲିଛି। ଏହା ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତିଆରି ଚାଲିଛି ବୋଲି ଠିକା କର୍ମଚାରୀ କହିଥିବା ସୂଚନା ରହିଛି।

ଜୁନ ୨୦ରେ ରାଜ୍ୟ ସରକାର ଏଏସଆଇର ସତ୍ୟପାଠ ଉପରେ ଏକ ସତ୍ୟପାଠ ଦାଖଲ କରିବେ ଏବଂ ଜୁନ ୨୨ରେ ମାମଲାର ଶୁଣାଣି ହେବ ବୋଲି ଜଣାପ଼ଡିଛି।

Leave A Reply

Your email address will not be published.