Latest Odisha News

BREAKING NEWS

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀଙ୍କ ପରଲୋକ ଘଟିଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ।

ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର ବାଲିସାହି ବାସଭବନକୁ ଅଣାଯିବ । ପରିବାର, ବନ୍ଧୁପରିଜନ ଓ ସେବାୟତମାନେ ଦର୍ଶନ କରିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ହେବ । ସେ ପୂର୍ବରୁ ପରିଚାଳନା କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟତୁଲାଇଥିଲେ ।

ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ ରଜତ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପଣ୍ଡା ଭାବରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ବିଭିନ୍ନ ସମୟରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ତେଲୁଗୁ ଭକ୍ତମାନଙ୍କୁ ଆତିଥ୍ୟ ଦେବା ସହ ସେମାନଙ୍କୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ତେଲୁଗୁ ଭାଷାରେ ବେଶ ସ୍ପଷ୍ଟ ଭାବରେ ବୁଝାଇପାରୁଥିଲେ ।

ଖାଲି ସେତିକି ନୁହେଁ, ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ, ସେବାୟତଙ୍କ କନ୍ୟାଙ୍କ ଉଚ୍ଚ ଶିକ୍ଷା ଭଳି ଏକାଧିକ ଉନ୍ନତିମୂଳକ କାମରେ ତାଙ୍କର ଅନେକ ଅବଦାନ ଥିଲା । ଏହା ସହ ପୁରୀ ସହରର ବିକାଶ ଓ ରଥଯାତ୍ରା ଶୃଙ୍ଖଳା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ବରିଷ୍ଠ ସେବାୟତଙ୍କୁ ସମ୍ମାନ ଦେବାରେ ସେ କେବେହେଲେ କୁଣ୍ଠାବୋଧ କରୁନଥିଲେ ଯାହା ତାଙ୍କର ଉତ୍ତମ ଚରିତ୍ରର ଉଦାହରଣ ଅଟେ ।

Leave A Reply

Your email address will not be published.