Latest Odisha News

BREAKING NEWS

ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ, ୫ ଆହତ

ଅହମ୍ମଦାବାଦ: ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ । ଗତକାଲି ରାତିରେ ଗୁଜୁରାଟ ବିଶ୍ଵବିଦ୍ୟାଳୟର ଛାତ୍ରାବାସରେ କିଛି ବିଦେଶୀ ଛାତ୍ର ନମାଜ ପଢୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୫ଜଣ ଛାତ୍ର ଆହତ ହୋଇଛନ୍ତି । ଉକ୍ତ ଛାତ୍ର ଗୁଡିକ ଆଫ୍ରିକା, ଆଫଗାନିସ୍ତାନ ଏବଂ ଉଜବେକିସ୍ତାନ ଦେଶର ହୋଇଥିବା ନେଇ ସୂଚନା ମିଳିଛି । ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସିଙ୍ଗଭୀ ଏହି ମାମଲାକୁ ଗୁରୁତର ସହକାରେ ନେଇ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଛାତ୍ରଙ୍କ କହିବା ଅନୁସାରେ, କ୍ୟାମ୍ପସ ଭିତରେ କେଉଁଠି ମସଜିଦ ନଥିବାରୁ ସେମାନେ ସମସ୍ତ ଛାତ୍ର ଏକ ସ୍ଥାନରେ ରମଜାନ ଉପଲକ୍ଷେ ନମାଜ ପାଠ କରୁଥିଲେ । କିଛି ସମୟ ପରେ ମାରଣାସ୍ତ୍ର ଧରି କିଛି ଦୁର୍ବୃତ୍ତ ସେମାନଙ୍କ ହଷ୍ଟେଲ ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କୁ ଅଟକେଇବାକୁ ହଷ୍ଟେଲର ସୁରକ୍ଷାକର୍ମୀମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରିନଥିଲେ ।

ଗୁଜରାଟ ବିଶ୍ୱବିଦ୍ୟାଳୟର ଏହି ଘଟଣାକୁ ନେଇ ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି ଯେ, ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୯ ଟି ପୋଲିସ ଟିମ୍ ଗଠନ କରାଯାଇଛି ଯେଉଁଥିରେ ୫ ଟି ଡିସିପି ରହିଛନ୍ତି । ଏହି ଘଟଣାରେ ୨୦ ରୁ ୨୫ ଜଣିଆ ଗୋଷ୍ଠୀ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଯିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସେପଟେ ଏନେଇ ଅଲ ଇଣ୍ଡିଆ ଇନ୍ତେହାଦୁଲ ମଜଲିସ୍-ଇ-ମୁସଲିମନ୍ (ଏଆଇଏମ୍ଆଇଏମ୍)ର ମୁଖ୍ୟ ଅସଦୁଦ୍ଦିନ ଓୱାସୀ ଗୁଜରାଟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଘଟଣାକୁ ନେଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଖୁବ୍ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.