Latest Odisha News

BREAKING NEWS

ଫିନଲାଣ୍ଡକୁ ପୁଣି ଧମକାଇଲେ ପୁଟିନ୍

ନାଟୋରେ ମିଶିବା ଭୁଲ୍ ହେବ: ପୁଟିନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଟୋର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ନାଟୋ ସଦସ୍ୟତା ନେବେ ରୁଷର ଦୁଇ ପଡ଼ୋଶୀ ରାଷ୍ଟ୍ର ଫିନଲାଣ୍ଡ ଓ ସ୍ୱିଡେନ୍ । କଥାବାର୍ତ୍ତା ଓ ଅନ୍ୟାନ୍ୟ ପ୍ରକ୍ରିୟା ଚାଲିଛି । ଏକଥାକୁ ସହଜରେ ଜମ କରି ପାରୁନି ରୁଷ୍ । ପୁଣି ଥରେ ଫିନଲାଣ୍ଡକୁ ଧମକାଇଛନ୍ତି ପୁଟିନ୍ । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ଫିନଲାଣ୍ଡକୁ ବି ଧମକ ଦେଇଥିଲା ରୁଷ୍ ।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ଫିନଲାଣ୍ଡ ନାଟୋରେ ମିଶିବା ଏକ ଭୁଲ୍ ହେବ । ନିଜ ନିରପେକ୍ଷତାକୁ ପରିତ୍ୟାଗ କରିବା ଫିନଲାଣ୍ଡ ପାଇଁ ଭୁଲ୍ ସାବ୍ୟସ୍ତ ହେବ । ଫିନଲାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋଙ୍କ ସହ ଫୋନ୍ ଯୋଗେ କଥା ହେବା ବେଳେ ଏକଥା କହିଛନ୍ତି ପୁଟିନ୍ ।

ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ରୁଷ୍ ସୀମାନ୍ତ ରାଷ୍ଟ୍ର (ଯେଉଁମାନେ ନାଟୋରେ ସାମିଲ ହୋଇ ନାହାନ୍ତି) ନିଜ ସୁରକ୍ଷାକୁ ନେଇ ଚିନ୍ତିତ । ସେମାନେ ନାଟୋ ସଦସ୍ୟତା ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଫିନଲାଣ୍ଡ ଆଉ ବିଳମ୍ବ ନକରି ନାଟୋ ସଦସ୍ୟତା ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ରାସ୍ତାରେ ଖୁବଶୀଘ୍ର ସାମିଲ ହେବ ସ୍ୱିଡେନ୍ । ସେମାନଙ୍କୁ ଏବେ ଧମକାଉଛି ରୁଷ୍ ।

ନାଟୋ ସଦସ୍ୟ ହେବା ନିଷ୍ପତ୍ତି ପରେ ଫିନଲାଣ୍ଡକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଦେଇଛି ରୁଷ । ଏହା ଦର୍ଶାଉଛି ଫିନଲାଣ୍ଡ ଉପରେ କେତେ କ୍ଷୁବ୍ଧ ହେଲେଣି ପୁଟିନ୍ । ଫିନଲାଣ୍ଡକୁ ୧୦ ପ୍ରତିଶତ ବିଦ୍ୟୁତ ରୁଷ ଯୋଗାଇଥାଏ । ଫିନଲାଣ୍ଡ କହିଛି, ଏହାଦ୍ୱାରା ତାଙ୍କର ବିଶେଷ କରି କ୍ଷତି ହେବ ନାହିଁ । ଆଗକୁ ନାଟୋ ସଦସ୍ୟତା ଗ୍ରହଣ କଲେ ଫିନଲାଣ୍ଡ ଉପରେ କି କାର୍ୟ୍ୟାନୁଷ୍ଠାନ ନେବ ରୁଷ୍ ତାଉପରେ ନଜର ।

Leave A Reply

Your email address will not be published.