ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ଗତ ସଂସ୍କରଣର ଚାମ୍ପିୟନ ଆରସିବି କ୍ୱାଲିଫାୟର ୧ରେ ଗୁଜରାଟ ଟାଇଟାନ୍ସକୁ ସହଜରେ ହରାଇଛି । ଭଲ ପ୍ରଦର୍ଶନ ବ୍ୟତୀତ ଆଉ ଏକ ସଂଯୋଗ ମଧ୍ୟ ଆରସିବି ସପକ୍ଷରେ ରହିଛି । ଯାହାକି ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି । ୮ ବର୍ଷ ହେବ କ୍ୱାଲିଫାୟର ୧ ଜିତିଥିବା ଦଳ ଶେଷରେ ଟାଇଟଲ ହାସଲ କରିଛି । ରଜତ ପାଟୀଦାରଙ୍କ ନେତୃତ୍ୱରେ ଗତ ଥର ମଧ୍ୟ ଆରସିବ କ୍ୱାଲିଫାୟର ୧ରେ ପଞ୍ଜାବ କିଙ୍ଗସକୁ ହରାଇ ଫାଇନାଲରେ ପ୍ରବେଶ କରିବା ସହ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା ।
୨୦୧୮ ପରଠାରୁ ଏହି ଧାରା ଲାଗି ରହିଛି । ୨୦୧୮, ୨୦୨୧ ଓ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ କ୍ୱାଲିଫାୟର ୧ ଜିତିବା ସହ ଚାମ୍ପିୟନ ମଧ୍ୟ ହୋଇଥିଲା । ୨୦୧୯, ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ, ୨୦୨୨ରେ ଗୁଜରାଟ ଟାଇଟାନ୍ସ, ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଓ ୨୦୨୫ରେ ଆରସିବି ଟାଇଟଲ ହାସଲ କରିଥିଲା । ଏବେ ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଏହାର ବିଜେତାକୁ ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ଭେଟିବ । ଏହି ମ୍ୟାଚରେ ଯିଏ ଜିତିବ ଫାଇନାଲରେ ଆରସିବିକୁ ଭେଟିବ ।