Latest Odisha News

BREAKING NEWS

ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସର ପ୍ରତିକ୍ରିୟା: ‘ଏ ରାଜେନୖତିକ ଓ ଆଇନଗତ ଲଢେଇ ଆମେ ଲଢିବୁ’

ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବାର ୨୪ ଘଣ୍ଟା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କଂଗ୍ରେସ ପକ୍ଷରୁ ଏହାକୁ କଡା ସମାଲୋଚନା କରାଯାଇଛି ।

ସଦସ୍ୟତା ପଦ ରଦ୍ଧ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି ଏହା ରାଜେନୖତିକ ଏବଂ ନ୍ୟାୟିକ ଯୁଦ୍ଧ । ରାହୁଲ ଦେଶବାସୀଙ୍କ ପାଇଁ ସାରା ଦେଶ ବୁଲି   ଲଢେଇ କରୁଥିଲେ । ଲୋକତନ୍ତ୍ରକୁ ବଞ୍ଚାଇବାକୁ  ପ୍ରୟାସ କରୁଥିଲେ । ହେଲେ ତାଙ୍କ ବିରୋଧରେ ଏହା ଏକ  ଷଡଯନ୍ତ୍ର  । ଷଡଯନ୍ତ୍ର  ସତ୍ତ୍ୱେ ମଧ୍ୟ ଏହି ଲଢେଇ ଜାରି ରହିବ  ।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି,  ‘ଆମେ ଉଭୟ ଆଇନଗତ ଓ ରାଜନୈତିକ ଲଢେଇ କରିବୁ । ଆମେ ଚୁପ୍ ବସିବୁନି । ପ୍ରଧାନମନ୍ତ୍ରୀ-ଅଦାନୀ ଲିଙ୍କ ଏବଂ ରାହୁଲ ଗାନ୍ଧୀ ସଦସ୍ୟତା ରଦ୍ଦ ଘଟଣାରେ ଜେପିସି ଗଠନ ପାଇଁ ଲଢିବୁ । ଭାରତର ଗଣତନ୍ତ୍ର ଓମ ଶାନ୍ତି’ ।

ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି, ସତ କହୁଥିବା ଓ ଜନତାଙ୍କ ହକ୍ ପାଇଁ ଲଢେଇ କରୁଥିବା ରାହୁଲଙ୍କ ସ୍ୱର ଚାପିବାକୁ ସଦସ୍ୟତା ପଦ ରଦ୍ଦ ହୋଇଛି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର  କହିଛନ୍ତି, ରାହୁଲଙ୍କ ବିରୋଧରେ ଏପରି କାର‌୍ୟ୍ୟାନୁଷ୍ଠାନ ମୋତେ  ସ୍ତବ୍ଧ କରିଛି । ଏହା ଗଣତନ୍ତ୍ର ପ୍ରତି ହାନିକାରକ ।

ବରିଷ୍ଠ ନେତା ଦିଗବିଜୟ ସିଂ କହିଛନ୍ତି, ବିଜେପି ରାହୁଲ ଗାନ୍ଧୀଙ୍କୁ ଭୟ କରୁଛି । ସେଥିପାଇଁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଛି ।  ସରକାରଙ୍କୁ ଟାର୍ଗେଟ କରୁଥିବାରୁ   ରାହୁଲଙ୍କ ମୁହଁ ଚୁପ୍ କରିବାକୁ ଏଭଳି ପ୍ରୟାସ ବିଜେପି ପକ୍ଷରୁ କରାଯାଇଛି  ।

ଅନ୍ୟପକ୍ଷେ କେନ୍ଦ୍ର ରାଜ୍ୟ ଆଇନ ମନ୍ତ୍ରୀ ଏସପିଏସ ବାଘେଲ କହିଛନ୍ତି ‘ଏହା ଆଇନଗତ କାର୍ଯ୍ୟାନୁଷ୍ଠାନ । ରାହୁଲଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ପ୍ରମାଣିତ କରୁଛି ଯେ ଆଇନ ଆଗରେ ସମସ୍ତେ ସମାନ ।’

Leave A Reply

Your email address will not be published.