Latest Odisha News

BREAKING NEWS

ରାହୁଲ କହିଲେ ଏମପିରେ ହେବ ଗାନ୍ଧୀ ଗୋଡସେ ଲଢେଇ

ଭୁବନେଶ୍ୱର: ସରଗରମ ହେଉଛି ମଧ୍ୟପ୍ରଦେଶ ରାଜନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ବି ଆସୁଛି। ବିଜେପି ନିଜର ରଣନୀତି ବଦଳାଇବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିର୍ବାଚନ ମଇଦାନକୁ ଓଲ୍ହାଉଛି।

କିନ୍ତୁ ଟାଇମସ ନାଓ ନବଭାରତ ପକ୍ଷରୁ ଆସିଥିବା ଏକ ସର୍ଭେ ରିପୋର୍ଟ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛି। ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଥିବା ବିଜେପି ସରକାର ହାରିବାର ସଂକେତ ମିଳିଛି।

ଯଦି ରାଜ୍ୟରେ ଏବେ ବିଧାନସଭା ନିର୍ବାଚନ ହୁଏ ତାହେଲେ ସତ୍ତାଧାରୀ ଦଳ ବିଜେପିକୁ ୧୦୨ ରୁ ୧୧୦ ଟି ସିଟ ମିଳିବାର ପୂର୍ବାନୁମାନ କରାଯାଇଛି। ସେହିଭଳି କଂଗ୍ରେସକୁ ୧୧୮ ରୁ ୧୨୮ ସିଟ ମିଳିବ ବୋଲି ସର୍ଭେରେ ଦର୍ଶାଯାଇଛି।

ଅନ୍ୟ ଦଳଗୁଡିକୁ ଦୁଇଟି ସିଟ ମିଳିପାରେ। ନିର୍ବାଚନରେ ବିଜେପିକୁ ୪୨.୮ ପ୍ରତିଶତ ଓ କଂଗ୍ରେସକୁ ୪୩.୮ ପ୍ରତିଶତ ଭୋଟ ମିଳିପାରେ। ସେପଟେ ଏହାକୁ ନେଇ ଏମପିରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି।

ଏହି ସର୍ଭେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସ୍ଥିତିକୁ ନେଇ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯିବା ସହ ତା ପରେ ସ୍ଥିତି ବଦଳିଛି ବୋଲି କୁହାଯାଇଛି। ସେପଟେ କଂଗ୍ରେସର କହିବା କଥା ଦଳ ରିପୋର୍ଟ ଠାରୁ ବହୁ ଅଧିକ ଅର୍ଥାତ ୧୪୦ ରୁ ଅଧିକ ସିଟ ଜିତିବ।

ଠିକ ଏଭଳି ସମୟରେ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ ଦମଦାର ଶୋ କରିଛନ୍ତି। ସାଜାପୁର କାଲାପିପଲ ବିଧାନସଭା କ୍ଷେତ୍ରରେ ରାହୁଲ ନିର୍ବାଚନ ବର୍ଷର ପ୍ରଥମ ସଭା କରିଛନ୍ତି। ଆଗାମୀ ନିର୍ବାଚନ ବିଚାରଧାରାର ଲଢେଇ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ଗାନ୍ଧୀ ଓ ଆଉ ଗୋଟିଏ ପଟେ ଗୋଡ଼ସେଙ୍କ ମଧ୍ୟରେ ଲଢେ଼ଇ ହେବ ବୋଲି ସେ କହିଛନ୍ତି। ଗୋଟିଏ ପଟେ କଂଗ୍ରେସ ଓ ଆରପଟେ ବିଜେପି ଆରଏସଏସ। ଗୋଟିଏ ପଟେ ହିଂସା, ଘୃଣା, ଅହଂକାର ଓ ଆରପଟେ ପ୍ରେମ, ଆଦର ଓ ଭାଇଚାରା।

ଏପରିକି ଯେଉଠିକୁ ବିଜେପି ଯାଉଛି ସେଠି ଘୃଣା ବାଣ୍ଟୁଛି ବୋଲି ରାହୁଲ କହିଛନ୍ତି। ସରକାର ଲୋକଙ୍କ ପାଇଁ ଚାଲିବା ଦରକାର କୌଣସି ସଂଗଠନ କିମ୍ବା ଜଣେ ଦୁଇଜଣ ଉଦ୍ୟୋଗପତିଙ୍କ ପାଇଁ ନୁହେଁ ବୋଲି ସେ କହିଛନ୍ତି।

ସଂସଦରେ ଆଦାନୀ ପ୍ରସଙ୍ଗ ଉଠାଇବା ଯୋଗୁ ବିଜେପି ତାଙ୍କ ସଦସ୍ୟ ପଦ ରଦ୍ଦ କରିଦେଇଥିଲା ବୋଲି ରାହୁଲ କହିଛନ୍ତି। ଏପରିକି ଏମପିରେ ପଛୁଆ ବର୍ଗ କାର୍ଡ ଖେଳିଛନ୍ତି ରାହୁଲ। ଦେଶରେ ୧୦ ବର୍ଷ ହେଲା ବିଜେପି ସରକାର ଥିବାବେଳେ ଦେଶକୁ ୯୦ ଅଫିସର ଚଳାଉଛନ୍ତି।

କିନ୍ତୁ ସେଥିରୁ ୩ ଜଣ ଅଫିସର ପଛୁଆ ବର୍ଗର ବୋଲି ରାହୁଲ କହିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଦଳିତ ଓ ଆଦିବାସୀଙ୍କ ପାଇଁ କାମ କରନ୍ତି ନାହିଁ ବୋଲି ସେ କହିଛନ୍ତି। ତେଣୁ ଗୋଟିଏ ପଟେ କଂଗ୍ରେସ ସପକ୍ଷରେ ସର୍ଭେ ରିପୋର୍ଟ ଆସିବା ଓ ଆରପଟେ ରାହୁଲ ଗାନ୍ଧୀ ଶାଣିତ ଢଙ୍ଗରେ ବିଜେପି ଉପରେ ଆକ୍ରମଣ କରିବା ଏମପି ରାଜନୀତିକୁ ସରଗରମ କରିଛି।

Leave A Reply

Your email address will not be published.