Latest Odisha News

BREAKING NEWS

ମଣ୍ଡିରେ ଦର ବୁଝିଲେ ରାହୁଲ, କ୍ଷମତାକୁ ଆସିଲେ ଦାମ କମାଇବେ!

ଭୁବନେଶ୍ୱର: ଦେଶର ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଭୋର ୪ ଟା ରେ ରାହୁଲ ଆଜାଦପୁର ମଣ୍ଡି ପହଂଚିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

ମଣ୍ଡିରେ ସେ ସବୁଜ ପନିପରିବା ବିକ୍ରେତାଙ୍କ ସହ ପରିବା ଦର ନେଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ଦେଶରେ ପନିପରିବା ଦାମ ପ୍ରାୟ ସବୁ ଲୋକଙ୍କୁ ଅସୁବିଧାରେ ପକାଇଛି। ଗରିବ ପରିବାରଠୁ ଆରମ୍ଭ କରି ମଧ୍ୟବିତ୍ତ ସମସ୍ତେ ପନିପରିବା ଦାମକୁ ନେଇ ଅତିଷ୍ଠ ହୋଇଗଲେଣି।

ଏଭଳି ସ୍ଥିତିରେ ରାହୁଲ ମଣ୍ଡି ଯାଇ ପରିବା ବିକ୍ରେତାଙ୍କ ସହ ଆଲୋଚନା କରିବା ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଦେଇଛି। ଏପରିକି କିଛି ଦିନ ପୂର୍ବରୁ ଆଜାଦପୁର ମଣ୍ଡିରେ ପରିବା ବିକ୍ରେତାଙ୍କ ଏକ ଭିଡିଓ ବାହାରକୁ ଆସିଥିବା ବେଳେ ଯାହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା।

ଦେଶରେ ପନିପରିବା ଦାମ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ୁଥିବାରୁ ବିରୋଧୀଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସରକାରକୁ ଟାର୍ଗେଟ କରୁଛନ୍ତି। ତେଣୁ ଏଭଲି ଏକ ସମୟରେ ରାହୁଲଙ୍କ ଏହି ଗସ୍ତ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ରାହୁଲ ଯେ ଦେଶର ସାଧାରଣ ଲୋକଙ୍କ ଆବଶ୍ୟକ ସମସ୍ୟା ଓ ପ୍ରସଙ୍ଗ ସହ ଅଛନ୍ତି ଏବଂ ଏହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ବୋଲି ସାରା ଦେଶକୁ ବାର୍ତା ଦେବାକୁ ଚାହୁଁଛି କଂଗ୍ରେସ। ରାହୁଲଙ୍କ ମଣ୍ଡି ଗସ୍ତ ପରେ କଂଗ୍ରେସ ପକ୍ଷରୁ ଏହି ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ହେଉଛି।

ସେପଟେ ଗତ କିଛି ଦିନ ତଳେ ରାହୁଲ ହରିୟାଣାର ଚାଷୀଙ୍କୁ ଚାଷ ଜମିରେ ଭେଟିବା ସହ ଚାଷ କାର୍ଯ୍ୟରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଥିଲେ। ବିଲରେ ଚାରା ରୋପଣ କରିବା ସହ ଟ୍ରାକ୍ଟର ଚଳାଇଥିଲେ ରାହୁଲ।

ଏପରିକି ସେ ଚାଷୀଙ୍କ ସହ ଖାଦ୍ୟ ମଧ୍ୟ ଖାଇଥିଲେ। ତେଣୁ ଏହା ପରେ ଏବେ ଲୋକଙ୍କ ପ୍ରମୁଖ ସମସ୍ୟାକୁ ନେଇ ପରିବା ବ୍ୟବସାୟୀଙ୍କ ସହ ଆଲୋଚନା କରିବା ଆଲୋଚନାର ବିଷୟ ପାଲଟିଛି।

ଦେଶରେ ଟମାଟୋ ଦର ଆକାଶଛୁଆଁ ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିଛି। ତେଣୁ ରାହୁଲଙ୍କ ଏହି କାର୍ଯ୍ୟକ୍ରମ ଦେଶର ସାଧାରଣ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ ପୂର୍ବରୁ ରାହୁଲ ଗାନ୍ଧୀ ଡେଲିଭରି ବୟ, ଛାତ୍ରଛାତ୍ରୀ, ଟ୍ରକ ଡ୍ରାଇଭର ଓ ବାଇକ ମେକାନିକ ମାନଙ୍କୁ ଭେଟିବା ସହ ସେମାନଙ୍କ ସହ କାମରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ଏବେ ବି ଚର୍ଚ୍ଚା ଥମି ନାହିଁ।

ତେଣୁ ନିର୍ବାଚନ ପାଇଁ ଦେଶରେ ମାହୋଲ ସରଗରମ ହେଉଥିବା ବେଳେ ତୃଣମୂଳ ସ୍ତରର ଲୋକଙ୍କ ସମସ୍ୟା ସହ ଯୋଡି ହୋଇ ଏହାର ସମାଧାନ ପାଇଁ ରାହୁଲ ଉଦ୍ୟମ କରିବା ବାର୍ତା ତୃଣମୂଳ ସ୍ତରକୁ କଂଗ୍ରେସ ଦେବାକୁ ଉଦ୍ୟମ କରୁଛି।

ଏପରିକି ଆଗକୁ ରାହୁଲଙ୍କ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ ଏଭଳି କାର୍ଯ୍ୟକୁ ନେଇ ରାଜନୈତିକ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.