Latest Odisha News

BREAKING NEWS

‘କୁଲି’ ଙ୍କ ପାଇଁ ରାହୁଲଙ୍କୁ ଆକ୍ରମଣ କଲା ବିଜେପି !

ଭୁବନେଶ୍ୱର: କୁଲିମାନଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ। କେନ୍ଦ୍ର ସରକାର ଦେଶର କୁଲି ମାନଙ୍କ ମଜୁରି ବୃଦ୍ଧି କରିଛନ୍ତି। ଏ ବର୍ଗର ଷ୍ଟେସନ ଗୁଡିକରେ କୁଲିଙ୍କ ମଜୁରୀ ଶହେ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବି ବର୍ଗରେ ଶହେ ଟଙ୍କା କରାଯାଇଛି।

ମଜୁରୀ ବଢିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟର ମାଧ୍ୟମରେ କେନ୍ଦ୍ର ସରକାର ଓ ଭାରତୀୟ ରେଳବାଇକୁ ଧନ୍ୟବାଦ ଦେଇଛନ୍ତି। ସରକାର କୁଲି ଭାଇ ମାନଙ୍କ ସ୍ୱର ଶୁଣିଥିବାରୁ ଏହା ଦେଖି ସେ ଖୁସି ହେବା କହିଥିବାବେଳେ କିଛି ଦିନ ତଳେ ଦିଲ୍ଲୀ ଆନନ୍ଦବିହାର ଷ୍ଟେସନରେ କୁଲି ବା ରେଳବାଇ ସହାୟକ ମାନଙ୍କୁ ସାକ୍ଷାତ ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

ଯାହାକୁ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଭୁଲ ଓ ଭ୍ରମାତ୍ମକ ପୋଷ୍ଟ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରଯାଇଛି।

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସରକାର ପ୍ରତି ଦୁଇ ବର୍ଷରେ ଥରେ କୁଲି ସାଥୀମାନଙ୍କର କଥା ଶୁଣନ୍ତି ବୋଲି ଅମିତ କହିଛନ୍ତି। ଟ୍ୱିଟ ମାଧ୍ୟମରେ ଏହା କହିବା ସହ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ଧୋକା ଓ ଭ୍ରମାତ୍ମକ ବୋଲି ଦର୍ଶାଇଛନ୍ତି।

ରାହୁଲ କେବଳ ଏହାର ଶ୍ରେୟ ନେବାକୁ ଏଭଳି କରିଛନ୍ତି ବୋଲି ଅମିତ କହିଛନ୍ତି। ମଜୁରୀ ବୃଦ୍ଧି ସମ୍ପର୍କିତ ରେଳବାଇର ଏକ ନିର୍ଦେଶନାମାର କପି ସହ ଅମିତ ଏହି ଟ୍ୱିଟ କରିଥିବାବେଳେ ଏହା କୁଲି ମାନଙ୍କ ମଜୁରୀ ପରିବର୍ତ୍ତନର ଏକ ପ୍ରକ୍ରିୟା ବୋଲି କହିଛନ୍ତି।

ଏପରିକି ରେଳବାଇର ପାଞ୍ଚୋଟି ଡିଭିଜନ ମଧ୍ୟରୁ ଚାରୋଟି ଡିଭିଜନ ରାହୁଲଙ୍କ ଆନନ୍ଦ ବିହାର ଷ୍ଟେସନରେ କୁଲିଙ୍କୁ ଭେଟିବା ପୁର୍ବରୁ ମଜୁରୀ ବୃଦ୍ଧି କରି ସାରିଥିବା ଅମିତ ମାଲବୀୟ କହିଛନ୍ତି। ତେଣୁ ଏହାକୁ ରାହୁଲଙ୍କ ପ୍ରୋପାଗଣ୍ଡା ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଏପରିକି ରେଳବାଇ ତରଫରୁ ମଧ୍ୟ ରାହୁଲଙ୍କ କଥାକୁ ଖଣ୍ଡନ କରାଯାଇଛି। ରେଳବାଇ ସହାୟକ ମାନଙ୍କର ମଜୁରୀ ପରିବର୍ତ୍ତନ ସମୟ ଅନୁଯାୟୀ କରାଯାଇଥାଏ।

ଗତ ସେପ୍ଟେମ୍ବର ୨୧ ତାରିଖରେ ରାହୁଲ ଗାନ୍ଧୀ ଆନନ୍ଦ ବିହାର ଷ୍ଟେସନ ଯିବା ସହ କୁଲି ମାନଙ୍କ ସହ ଲଗେଜ ବୋହିଥିଲେ, ସେମାନଙ୍କ ଦୁଃଖ ବୁଝିଥିଲେ।

ଯେଉଁ ସମୟରେ କୁଲି ମାନେ ମଜୁରୀ ବୃଦ୍ଧି, ବୀମା ଓ ପେନସନ କଥା କହୁଥିବାର ଭିଡିଓ ଦେଖିବାକୁ ମିଳିଥିଲା। ତେଣୁ ଏବେ ସରକାର ମଜୁରୀ ବୃଦ୍ଧି କରିବା ପରେ ରାହୁଲଙ୍କ ଟ୍ୱିଟ ବିଜେପିକୁ ଚିନ୍ତାରେ ପକାଇଥିବା କୁହାଯାଉଛି।

ରାହୁଲଙ୍କ ଟ୍ୱିଟକୁ ନେଇ ବିଜେପି ବ୍ୟାପକ ପ୍ରତିକ୍ରିୟା ପ୍ରକାଶ କରିଛି। ସେପଟେ ରାହୁଲ ଗାନ୍ଧୀ ସମାଜର ତୃଣମୂଳ ବର୍ଗର ଲୋକଙ୍କ ସହ ମିଶିବା ପ୍ରକ୍ରିୟା ଜାରି ରଖିଛନ୍ତି।

ଡେଲିଭରି ବୟଙ୍କ ଠାରୁ ଆରମ୍ଭ କରି ଚାଷୀ, ବାଇକ ମେକାନିକ, ଟ୍ରକ ଡ୍ରାଇଭର, ପରିବା ବ୍ୟବସାୟୀ, ବଢ଼େଇ ଆଦି ସବୁ ବର୍ଗର ଲୋକଙ୍କ ସହ ମିଶି ସେମାନଙ୍କ ଦୁଃଖ ସମ୍ପର୍କରେ ଆଲୋଚନା କରୁଛନ୍ତି।

ତେଣୁ କୁଲିଙ୍କ ସହ ମିଶିବା ପରେ ସେମାନଙ୍କ ସମସ୍ୟା ସମାଧାନ ହେବା ଓ ରାହୁଲ ଏ ସମ୍ପର୍କରେ ଟ୍ୱିଟ କରିବା ବିଜେପିକୁ ଅଡୁଆରେ ପକାଇଛି। ରାହୁଲଙ୍କ ପାଇଁ ଯେ କୁଲିଙ୍କ ସମସ୍ୟାର ସମାଧାନ ହେଲା ବୋଲି ସେ ଦେଇଥିବା ବାର୍ତା ତୃଣମୂଳ ସ୍ତରକୁ ଗଲେ ଏହାର ଫାଇଦା କଂଗ୍ରେସ ପାଇବ ବୋଲି ଦଳ ଆଶା ରଖିଛି।

ସେପଟେ ଏଭଳି ଟ୍ୱିଟକୁ ଭ୍ରମାତ୍ମକ କହିବା ସହ ବିଜେପି କାଉଣ୍ଟର କରିଛି। ଯେଉଁ ପ୍ରସଙ୍ଗ ଏବେ ଜାତୀୟ ରାଜନୀତିରେ ଚର୍ଚାର ପ୍ରସଂଗ ପାଲଟିଛି।

Leave A Reply

Your email address will not be published.